ସମ୍ଭାବ୍ୟ ବାତ୍ୟା ପାଇଁ ଚାଷୀ ତରତର

ବାଲିଆପାଳ, ୬ା୫(ସ୍ବ.ପ୍ର.) ସମ୍ଭାବ୍ୟ ବାତ୍ୟା ଲାଗି ଠିକ୍‌ ପୂର୍ବାନୁମାନ ହୋଇ ନ ଥିଲେ ମଧ୍ୟ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକବାସୀ ଭୟଭୀତ ହୋଇପଡିଛନ୍ତି। ଏହି ସମୟରେ ବାରମ୍ବାର ବାତ୍ୟା ତାଣ୍ଡବ ବାଲିଆପାଳ ଅଞ୍ଚଳରେ ଧନଜୀବନ ନଷ୍ଟ କରୁଛି। ବିଶେଷ କରି ଚାଷୀମାନେ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି। ସମ୍ଭାବ୍ୟ ବାତ୍ୟା ପାଇଁ ସରକାରୀ ସ୍ତରରେ ବାରମ୍ବାର ଘୋଷଣା ପରେ ଜନସାଧାରଣ ସୁରକ୍ଷା ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବିଶେଷ କରି ସମୁଦ୍ର ଉପକୂଳବର୍ତ୍ତୀ ଗ୍ରାମବାସୀ ଏବେଠାରୁ ସଜାଗ ହେଲେଣି।

ବାତ୍ୟା ଗତିପଥରେ ଓଡ଼ିଶା ଉପକୂଳ ଅଞ୍ଚଳରେ ବେଶୀ କ୍ଷତିଗ୍ରସ୍ତ ହେବାର ଆଶଙ୍କାକୁ ଲକ୍ଷ୍ୟ କରି ସରକାରଙ୍କ ପକ୍ଷରୁ ପ୍ରଚାର ଓ ପ୍ରସାର ଜୋରଦାର କରାଯାଇଛି। ପ୍ରତିବର୍ଷ ଏହି ସମୟରେ ବାତ୍ୟା, ଲଘୁଚାପ, ଜୁଆର ପାଣି ଆସୁଥିବାରୁ ସାଧାରଣ ଲୋକ ମଧ୍ୟ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଫନି, ହୁଡ଼ହୁଡ଼, ୟାସ୍‌ ଭଳି ବାତ୍ୟାକୁ ସାମ୍ନା କରିଥିବା ଲୋକେ ଆସନ୍ନ ବାତ୍ୟାକୁ ନେଇ ଚିନ୍ତିତ ରହିଛନ୍ତି। ୟାସ୍‌ ବାତ୍ୟାରେ ପବନର ବେଗ ସାଙ୍ଗକୁ ଲୁଣା ପାଣି ମାଡ଼ି ଆସିବା ଫଳରେ ଅନେକ ଚାଷ ନଷ୍ଟ ସହିତ ବହୁ ଘର ମଧ୍ୟ ଭାଙ୍ଗିଯାଇଥିଲା। ତେଣୁ ବାତ୍ୟା ଆସିବା ଆଗରୁ ଚାଷୀ ତାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ଅଦିନିଆ ଧାନ ଏବେ ପୁରା ଅମଳ ସମୟ ହୋଇ ନ ଥିଲେ ମଧ୍ୟ ବାତ୍ୟା ଭୟରେ ଅଧା ପାଚିଲା ଧାନକୁ କାଟି ସୁରକ୍ଷିତ ରଖିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ସମୁଦ୍ରରେ ମାଛଧରା ବନ୍ଦ ରହିଥିବାରୁ ମତ୍ସ୍ୟଜୀବୀମାନେ ସେମାନଙ୍କର ଡଙ୍ଗାକୁ ଉଚ୍ଚ ସ୍ଥାନରେ ରଖିଛନ୍ତି। ତେବେ ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବାତ୍ୟାକୁ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିଲେ ମଧ୍ୟ ଗଣମାଧ୍ୟମକୁ କୌଣସି ସୂଚନା ଦେଇନାହାନ୍ତି ବାଲିଆପାଳ ତହସିଲଦାର। ତେବେ ବାରମ୍ବାର ବାତ୍ୟାକୁ ସାମ୍ନା କରିଥିବା ବାଲିଆପାଳବାସୀ ଭୟଭୀତ ଥିଲେ ମଧ୍ୟ ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି।

Share