Categories: ଜାତୀୟ

ଚାଷୀମାନେ ଭାରତର ଶକ୍ତି: ରାହୁଲ

ନୂଆଦିଲ୍ଲୀ, ୧୭ା୭(ପି.ଟି.) : ଚାଷୀମାନେ ହେଉଛନ୍ତି ଭାରତର ଶକ୍ତି। ଯଦି ଆମେ ସେମାନଙ୍କ କଥା ଶୁଣିବା ଏବଂ ସେମାନଙ୍କ ଦୃଷ୍ଟିକୋଣକୁ ବୁଝିପାରିବା, ତେବେ ଦେଶର ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ଗତ ୮ ତାରିଖରେ ହରିୟାଣାର ସୋନେପତ୍‌ ଜିଲା ଅନ୍ତର୍ଗତ ମଦିନା ଗ୍ରାମର ଚାଷଜମିକୁ ଯାଇ କୃଷକ ଓ ସେମାନଙ୍କ ପରିବାର ସଦସ୍ୟମାନଙ୍କ ସହ କଥା ହୋଇଥିଲେ। ଏଥିସହିତ ସେ ଟ୍ରାକ୍ଟରରେ ଜମି ହଳ କରିବା ସହ ଧାନ ତଳି ରୋଇଁଥିଲେ। ଉକ୍ତ ଭିଡିଓକୁ ରାହୁଲ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। କୃଷକମାନେ ଦେଶର ସାମର୍ଥ୍ୟ ବୋଲି ସେ ହିନ୍ଦୀରେ ଟୁଇଟ୍‌ କରିଛନ୍ତି। ଭାରତର ଚାଷୀ ସଚ୍ଚୋଟ ଓ ସମ୍ବେଦନଶୀଳ। ସେମାନେ ନିଜର କଠିନ ପରିଶ୍ରମ ଓ ସେମାନଙ୍କ ଅଧିକାର ସମ୍ପର୍କରେ ଭଲ ଭାବେ ଅବଗତ। ଆବଶ୍ୟକ ବେଳେ ସେମାନେ କଳା ଆଇନ ବିରୋଧରେ ଦୃଢ଼ ଭାବେ ଛିଡ଼ା ହୋଇଛନ୍ତି ଏବଂ ଏମ୍‌ଏସ୍‌ପି ତଥା ବୀମା ଅଧିକାର ପାଇଁ ଦାବି ଉଠାଇଛନ୍ତି। ଆମେ ସେମାନଙ୍କ ଦୃଷ୍ଟିକୋଣକୁ ଅନୁଭବ କରିପାରିଲେ ଅନେକ ସମସ୍ୟା ସମାଧାନ ହୋଇପାରିବ ବୋଲି ରାହୁଲ ଟୁଇଟ୍‌ କରିଛନ୍ତି। ଦେଶକୁ ଏକତ୍ର କରି ରଖିବାରେ କୃଷକମାନଙ୍କର ବଡ଼ ଅବଦାନ ରହିଛି। ସେମାନେ ଉତ୍ପାଦନ କରୁଥିବା ଖାଦ୍ୟଶସ୍ୟ ସାରା ଦେଶର ପ୍ରତ୍ୟେକଙ୍କ ପ୍ଲେଟ୍‌ର ଅଂଶବିଶେଷ। ତେବେ ସେମାନଙ୍କ ତପସ୍ୟା ଯେଉଁ ସମ୍ମାନ ପାଇବାକୁ ହକ୍‌ଦାର, ତାହା ମିଳୁନାହିଁ ବୋଲି କଂଗ୍ରେସ କହିଛି। ଭାରତ ଯୋଡ଼ୋ ଯାତ୍ରା ବେଳେ ରାହୁଲ ଚାଷୀ ଓ କୃଷି ଶ୍ରମିକମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିବା ସହ ସେମାନଙ୍କ ସଂଘର୍ଷକୁ ବୁଝିଥିଲେ ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି।

Share