ନାମକୁ ମାତ୍ର ଗବେଷଣା କେନ୍ଦ୍ର, ନଳିତା ଚାଷରୁ ମୁହଁ ଫେରାଇ ନେଉଛନ୍ତି ଚାଷୀ

ପଟ୍ଟାମୁଣ୍ଡାଇ,୭ା୧୨( କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସରକାରୀ ପ୍ରୋତ୍ସାହନ ଅଭାବରୁ ନଳିତା ଚାଷ ପ୍ରତି ଚାଷୀ ବିମୁଖ ହେଉଛନ୍ତି। ଯେଉଁ କେତେଜଣ ଚାଷୀ ଚାଷ କରୁଛନ୍ତି ଝୋଟର ଉଚିତ ଦାମ ନ ମିଳିବାରୁ ସେମାନେ ମଧ୍ୟ ହତାସ ହୋଇ ପଡ଼ିଲେଣି। ନଳିତା ଚାଷ ଲାଭ ଜନକ ହୋଇଥିଲେ ବି ବହୁ କଷ୍ଟକର। ଏତେ ପରିଶ୍ରମ ସତ୍ତ୍ୱେ ପାରିଶ୍ରମିକ ଠିକ୍‌ ଭାବେ ମିଳୁନାହିଁ। ଝୋଟ ବିକ୍ରି ପାଇଁ ବଜାର ନାହିଁ କି ସରକାରୀ ପ୍ରୋତ୍ସାହନ ମିଳୁନାହିଁ। ତେଣୁ ଝୋଟ ବିକ୍ରି କରିବାକୁ ଚାଷୀ ବ୍ୟବସାୟୀଙ୍କ ଦ୍ୱାରା ଶୋଷିତ ହେଉଥିବା ଅଭିଯୋଗ କରିଛନ୍ତି। ଏପରି ହେଲେ ଆଗାମୀଦିନରେ ନଳିତା ଚାଷ ଲୋପ ପାଇବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
କୃଷକ ନେତା ବିଜୟ ଦାସ କହିଛନ୍ତି, ପୂର୍ବରୁ ପଟ୍ଟାମୁଣ୍ଡାଇ ବ୍ଲକର ଧୋୟାଞ୍ଚଳଠାରୁ ଆରମ୍ଭ କରି ଭେଡା ଅଞ୍ଚଳର ଚାଷୀମାନେ ଧାନ, ମୁଗ, ବିରି ବିଭିନ୍ନ ପନିପରିବା ଓ ନଳିତା ଚାଷ କରିଥାନ୍ତି। ଏହି ଅଞ୍ଚଳ ଉପକୂଳବର୍ତ୍ତୀ ହୋଇଥିବାରୁ ନଳିତା ଚାଷ ନିମନ୍ତେ ବିଶେଷ ସମସ୍ୟା ସୃଷ୍ଟି ହୋଇ ନ ଥାଏ। ବିଶେଷ କରି ଚାଷୀମାନେ ଖରାଦିନେ ନଳିତା ଚାଷ ଲାଗି ବିଲରେ ବିହନ ପକାଇଥାନ୍ତି। ଜୁନ ପରେ ମୌସୁମୀ ବାୟୁ ଆସୁଥିବା ହେତୁ ନଳିତା ଗଛ ବର୍ଷା ଜଳ ପାଇ ବଢିଥାଏ। କିନ୍ତୁ ଗତ କିଛିବର୍ଷ ହେଲା ଜଳବାୟୁ ପରିବର୍ତ୍ତନ କାରଣରୁ ବର୍ଷାରେ ଅନିୟମିତତା ପରିଲକ୍ଷିତ ହୋଇଛି। ନଳିତା ଚାଷ କରୁଥିବା ଚାଷୀମାନେ ବହୁ କଷ୍ଟରେ ଖରାଦିନେ ନଳିତା ଗଛକୁ ବିଭିନ୍ନ ଉପାୟରେ ପାଣି ଦେଇ ବଞ୍ଚାଇ ରଖିଥାନ୍ତି। ନଳିତା କାଟିବାଠାରୁ ଆରମ୍ଭ କରି ତାକୁ ପାଣିରେ ପକାଇ ପଚାଇ ଝୋଟ ଓ କାଉଁରିଆ କାଠି କାଢ଼ିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼େ। ସାମାଜିକ କର୍ମୀ ନରେନ୍ଦ୍ର ଧଳ କହିଛନ୍ତି, ୨୦୧୦ ପରେ କେନ୍ଦ୍ରାପଡ଼ା ଜଜାଙ୍ଗଠାରେ ଝୋଟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା।
ଏଠାରେ ମଧ୍ୟ ନୂତନ ପ୍ରକାର ନଳିତା ମଞ୍ଜି ସୃଷ୍ଟି କରି ବୈଜ୍ଞାନିକମାନେ ଚାଷୀଙ୍କ ଅର୍ଥନୀତିକୁ ସଚଳ କରିଥିଲେ। ବିଭିନ୍ନ କିସମର ବିହନ ସହଯୋଗରେ ୨୦୧୪ରେ ପଟ୍ଟାମୁଣ୍ଡାଇ ବ୍ଲକରେ ୨ହଜାର ହେକ୍ଟର ଜମିରେ ନଳିତା ଚାଷ ହୋଇଥିବା ବେଳେ ଗୋଦାମ କରାଯାଇ ଲକ୍ଷ ଲକ୍ଷ ଟନ ଝୋଟ ସଂଗ୍ରହ କରାଯାଇ ପଶ୍ଚିମବଙ୍ଗ ପଠାଯାଉଥିଲା। ହେଲେ ସେ ସମୟ ଆଜି ନାହିଁ। ଜଜାଙ୍ଗ ଗବେଷଣା କେନ୍ଦ୍ର ଏବେ ନାମକୁ ମାତ୍ର ରହିଛି। କିଛିଦିନ ହେବ ଏହି ଗବେଷଣା କେନ୍ଦ୍ରରୁ ବିହନ ବିକ୍ରି ବନ୍ଦ କରି ଦିଆଯାଇଛି। ଫଳରେ ଏବେ ନଳିତା ଚାଷ କମି କମି ୧୫୦ ହେକ୍ଟରରେ ପହଞ୍ଚତ୍ଲାଣି ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି। ଚାଷୀ ପୂର୍ଣ୍ଣଚନ୍ଦ୍ର ନାୟକ କହିଛନ୍ତି, ନଳିତା ଚାଷ ପାଇଁ ସରକାରଙ୍କ ପକ୍ଷରୁ ବିହନ, ସାର, ଔଷଧ ମଧ୍ୟ ରିହାତି ମୂଲ୍ୟରେ ଯୋଗାଇ ଦିଆଯାଉନାହିଁ। ଫଳରେ ଚାଷୀ ନଳିତା ଚାଷ ଲାଗି ବିନିଯୋଗ କରୁଥିବା ପ୍ରାପ୍ୟ ଠିକ୍‌ ଭାବେ ପାଇପାରୁନାହାନ୍ତି। ଖରାଦିନେ ସ୍ଥାନୀୟ ଅଞ୍ଚଳରେ ନଈ, ନାଳ ଓ କେନାଲଗୁଡ଼ିକ ଏକରକମ ଶୁଖିଲା ପଡୁଛି। ଉଠା ଜଳସେଚନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ସାମ୍ପ୍ରତିକ ପରିସ୍ଥିତିରେ ମୂଲିଆ ମଜୁରି, ବିହନ, ସାର, ଔଷଧର ମୂଲ୍ୟ ଆଶାତୀତ ଭାବେ ବୃଦ୍ଧି ପାଇଛି। ପ୍ଲାଷ୍ଟିକ୍‌ର ବହୁଳ ବ୍ୟବହାର ଯୋଗୁ ଝୋଟ ସାମଗ୍ରୀର ଉତ୍ପାଦନ ସହ ବ୍ୟବହାର ମଧ୍ୟ କମିଗଲାଣି। ଦୀନବନ୍ଧୁ ଜେନା କହିଛନ୍ତି, ନଳିତା ଚାଷ ଲାଗି ଚାଷୀଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରାଯାଉନାହିଁ। ନଳିତାଗୁଡ଼ିକୁ ପଚାଇବା ନିମନ୍ତେ ଟାଙ୍କିର ମଧ୍ୟ ବ୍ୟବସ୍ଥା କରାଯାଇନାହିଁ।
ଚାଷୀମାନେ ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ ଗାଡ଼ିଆ, ଖାଲଗୁଡ଼ିକରେ କୁମ୍ଭୀର ଭୟରେ ବହୁ କଷ୍ଟରେ ଏହି ନଳିତାକୁ ପଚାଇ ଝୋଟ ପ୍ରସ୍ତୁତ କରିଥାନ୍ତି। ସ୍ଥାନୀୟ ଅଞ୍ଚଳରେ ଝୋଟ ବିକ୍ରୟ ନିମନ୍ତେ କୌଣସି ସୁବିଧା ନ ଥିବାରୁ ବିକ୍ରୟ କରିବାପାଇଁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଯେଉଁ ବ୍ୟବସାୟୀମାନେ ଝୋଟ କ୍ରୟ କରୁଛନ୍ତି ସେମାନେ ଠିକ୍‌ ଦର ଦେଉନାହାନ୍ତି। ଫଳରେ ଚାଷୀ ତା’ର ଉତ୍ପାଦିତ ଦ୍ରବ୍ୟରୁ ଉପଯୁକ୍ତ ପ୍ରାପ୍ୟ ପାଇପାରୁନାହିଁ। ଚାଷୀ ବିନିଯୋଗ କରୁଥିବା ପ୍ରାପ୍ୟ ଝୋଟ ବିକ୍ରୟ ପାଇଁ ଉପଯୁକ୍ତ ବଜାରର ସୁବିଧା ସୁଯୋଗ ନ ଥିବାରୁ ଠିକ୍‌ ପ୍ରାପ୍ୟ ପାଇ ପାରୁନାହିଁ। ପ୍ରୋତ୍ସାହନ ଅଭାବରୁ ଆଗାମୀଦିନରେ ନଳିତା ଚାଷ ଲୋପ ପାଇବାର ଆଶଙ୍କା ସୃଷ୍ଟି ହୋଇଛି। ସରକାରଙ୍କ ପକ୍ଷରୁ ନଳିତା ଚାଷକୁ ବଞ୍ଚାଇ ରଖିବା ଲାଗି ଚାଷୀଙ୍କୁ ଉପଯୁକ୍ତ ପ୍ରୋତ୍ସାହନ, ତାଲିମ ପ୍ରଦାନ କରାଗଲେ ଓ ଝୋଟର ବିକ୍ରୟ ପାଇଁ ଉପଯୁକ୍ତ ବଜାରର ବ୍ୟବସ୍ଥା ସୃଷ୍ଟି କରିବାକୁ ଚାଷୀ ମହଲରେ ଦୃଢ ଦାବି ହୋଇଛି।

Share