ମହାକାଳପଡ଼ା,୨୬ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଜଙ୍ଗଲି ବାର୍ହା ଉପଦ୍ରବ ଦେଖାଦେଇଛି। ବାର୍ହାମାନେ ଚାଷୀମାନଙ୍କ ଆଖିରୁ ନିଦ ହଜାଇ ଦେଇଛନ୍ତି। ପାଚିଲା ଧାନ ଫସଲ ଖାଇବାକୁ ବାର୍ହା ଗାଁ ମୁହାଁ ହେଉଛନ୍ତି ବୋଲି ଚାଷୀମାନେ କହିଛନ୍ତି। ସ୍ଥାନୀୟ ଚାଷୀ ବର୍ଷକର ଧାନ ଫସଲ ସୁରକ୍ଷା ପାଇଁ ଚାଷ ଜମିରେ ବାଉଁଶ, ପଲିଥିନରେ ମଞ୍ଚା ନିର୍ମାଣ କରି ରାତି ସାରା ଉଜାଗର ରହି ଜଗିବାକୁ ପଡୁଛି। ବାର୍ହା ଉପଦ୍ରବ ଯୋଗୁଁ ଧାନ ଫସଲ ନଷ୍ଟ ହେଉଛି। ଫସଲ ଖାଇବା ସହ ଅଧିକ ଧାନ ଦଳି ନଷ୍ଟ କରୁଥିବା ଅଭିଯୋଗ ହେଉଛି। ରାତିରେ ଚାଷୀମାନେ ନିଆଁ ହୁଳା, ବାଣ ଫୁଟାଇବା ଓ ଟିଣ ବଜାଇ ବାର୍ହାକୁ ଘଉଡ଼ାଇବାକୁ ପଡୁଛି। ବନ ବିଭାଗ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ବ୍ଲକର ଜମ୍ବୁ ପଞ୍ଚାୟତର ୧୪ ଓ ୧୫ ନଂ. ୱାର୍ଡ଼ର ନିକଟ ଝାଉଁ ଓ ଲୁଣା ଜଙ୍ଗଲ ସଂଲଗ୍ନ ଭୂତବେଲାରି ନିକଟ ଚାଷ ଜମିରେ। ବାର୍ହାଙ୍କ କବଳରୁ ଧାନ ଫସଲକୁ ନଷ୍ଟ ହେବାରୁ ରକ୍ଷା ପାଇଁ ଚାଷୀମାନେ ମଞ୍ଚା ବାନ୍ଧିଛନ୍ତି। ନନି ମଣ୍ଡଳ, ବିଭୀଷଣ ସିକଦାର, ରାଜୁ ଆଗୁଆନଙ୍କ ସମେତ ବହୁ ଚାଷୀ ଏହି ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଜମ୍ବୁ ବନ ବିଭାଗ ରେଞ୍ଜର ସାହଜୀ ଚରଣ ବିଶ୍ୱାଳଙ୍କୁ ପଚାରିବାରେ ଚାଷୀଙ୍କ ସମସ୍ୟାକୁ ନେଇ ଖୁବ୍ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।