ଭବାନୀପାଟଣା,୨୫ା୧୨(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କାରଣରୁ ଗତ ୨ଦିନ ହେଲା କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ହେଉଛି। ବର୍ତ୍ତମାନ ଧାନ ଅମଳ ସହିତ ମଣ୍ଡିରେ ବିକ୍ରି ପ୍ରକ୍ରିୟା ଚାଲିଥିବାବେଳେ ବର୍ଷା ଯୋଗୁ ଧାନ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ଅନେକ ଚାଷୀ ବର୍ତ୍ତମାନ ପର୍ଯ୍ୟନ୍ତ ଧାନ କାଟି ନାହାନ୍ତି। ଟୋକନ୍ ବିଳମ୍ବ ହେତୁ କିଛି ଚାଷୀ ଧାନ ଖଳାରେ ରଖିଥିବାବେଳେ ଆଉ କିଛି ବିକ୍ରି ଆଶାରେ ଧାନକୁ ମଣ୍ଡିରେ ରଖିଛନ୍ତି। ଏପରିସ୍ଥଳେ ଅଦିନିଆ ବର୍ଷା ସେମାନଙ୍କୁ ସଙ୍କଟରେ ପକାଇଦେଇଛି। ଜିଲାର ଅନେକ ମଣ୍ଡି ଏବେ ମଧ୍ୟ ଖୋଲା ଆକାଶ ତଳେ ଚାଲିଛି। ସେଠାରେ ଚାଷୀଙ୍କୁ ତାରପୋଲିନ ଦିଆଗଲେ ମଧ୍ୟ ଝିପିଝିପି ବର୍ଷା ଯୋଗୁ ଧାନ ଭିଜୁଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟ ଜିଲାରେ ଏବେ ବି ଶହେରୁ ଅଧିକ ମଣ୍ଡି ଖୋଲା ଆକାଶ ତଳେ ଚାଲୁଥିବା ଜଣାପଡିଛି। କଳାହାଣ୍ଡି ଜିଲାରେ ଗତ ନଭେମ୍ବର ୨୯ ତାରିଖଠାରୁ ମଣ୍ଡି ଖୋଲିଥିଲା। ଜିଲାର ୨୨୩ ମଣ୍ଡି ମଧ୍ୟରୁ ବର୍ତ୍ତମାନ ୨୨୦ଟି ଖୋଲିଥିବାବେଳେ ଅବଶିଷ୍ଟ ଲାଞ୍ଜିଗଡ ବ୍ଲକରେ ଖୋଲି ନ ଥିବା ଜଣାପଡିଛି। ସେହିପରି ସୋମବାର ପର୍ଯ୍ୟନ୍ତ ଜିଲାର ୨୨ ହଜାର ୩୮୦ ଚାଷୀଙ୍କଠାରୁ ୧୦ ଲକ୍ଷ ୩୬ ହଜାର କୁଇଣ୍ଟାଲ ଧାନ ଉଠାଣ କରାଯାଇଥିବା ଯୋଗାଣ ବିଭାଗ ପକ୍ଷରୁ ଜଣାପଡିଛି। ସେହିପରି ମଙ୍ଗଳବାର ବର୍ଷା ସତ୍ତ୍ୱେ ପ୍ରାୟ ୧ଲକ୍ଷ ୧୦ ହଜାର କୁଇଣ୍ଟାଲ ଧାନ ଉଠାଣ ସରିଥିବା ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର ମୋହନ ସାହୁ ପ୍ରକାଶ କରିଛନ୍ତି।