ଘାରିଛି ବିକ୍ରି ଚିନ୍ତା: ଚିନ୍ତାରେ ଚିନାବାଦାମ ଚାଷୀ

ଜଳେଶ୍ୱର,୫ା୫-ଚଳିତବର୍ଷ ବାଲେଶ୍ୱର ଜିଲାର ଜଳେଶ୍ୱର କୃଷି ଜିଲା ଅନ୍ତର୍ଗତ ୩ଟି ବ୍ଲକ ଜଳେଶ୍ୱର, ବାଲିଆପାଳ ଓ ଭୋଗରାଇରେ ୭୦ଭାଗ ଚିନାବାଦାମ ଅମଳ ସରିଥିଲେ ମଧ୍ୟ ବିକ୍ରି ଲାଗି ସୁବିଧା ନ ଥିବାରୁ ଚାଷୀମାନେ ଅଭାବୀ ବିକ୍ରୀର ସମ୍ମୁଖୀନ ହେବାର ଆଶଙ୍କା ଦେଖାଦେଇଛି। ସରକାର ଧାନଚାଷ ବଦଳରେ ଅର୍ଥକାରୀ ଫସଲ ପାଇଁ ଚାପ ସୃଷ୍ଟି କରୁଥିବା ବେଳେ ଏବେ ଚିନାବାଦାମ ଚାଷ କରି ଚାଷୀମାନେ ବିକ୍ରି କରି ନ ପାରି ହୀନସ୍ତା ହେଉଛନ୍ତି। ଧାନ ଅମଳ ପରେ ସରକାର ପ୍ୟାକ୍ସ ଜରିଆରେ ଚାଷୀଙ୍କୁ ପଞ୍ଜୀକରଣ କରି ସର୍ବନିମ୍ନ ସହାୟକ ମୂଲ୍ୟରେ ବିକ୍ରି ବ୍ୟବସ୍ଥା କରିଥିଲେ ମଧ୍ୟ ଚିନାବାଦାମ ଚାଷରେ ସେପରି ବ୍ୟବସ୍ଥା ନାହିଁ । ତେଣୁ ବିହନ କିଣିବା ଓ ଉତ୍ପାଦନ ପରେ ବିକ୍ରି କରିବା ଚାଷୀର ମୁଣ୍ଡବ୍ୟଥାର କାରଣ ହୋଇଛି ବୋଲି ଏ ଅଞ୍ଚଳର ବହୁ ଚାଷୀ ଅଭିଯୋଗ କରିଛନ୍ତି।
ଏହି ୩ ବ୍ଲକରେ ୯ହଜାର ହେକ୍ଟର ଜମିରେ ଚିନାବାଦାମ ଚାଷ ହୋଇଛି । ଜଳେଶ୍ୱରରେ ୩ହଜାର ହେକ୍ଟର, ବାଲିଆପାଳରେ ୩୫୦୦ହେକ୍ଟର ଓ ଭୋଗରାଇରେ ୨୫୦୦ ହେକ୍ଟର ଜମିରେ ଚିନାବାଦାମ ଚାଷ ହୋଇଛି । ଏବେ ୭୦ ଭାଗ ଅମଳ ସରିଲାଣି। ଚାଷୀମାନେ ୫୨ଟଙ୍କାରେ ପଶ୍ଚିମବଙ୍ଗ ଦଲାଲମାନଙ୍କୁ ବିକ୍ରି କରି ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ଜଳେଶ୍ୱର ବ୍ଲକର କୋଟସାହି, ରାୟାଁରାମଚନ୍ଦ୍ରପୁର, ଗୋବରଘଟ୍ଟା, ମହମ୍ମଦନଗରପାଟଣା, ପାଇକସିଦା, ଝାଡପିମ୍ପଳ, ବାଇଗଣବାଡିଆ, ଲକ୍ଷ୍ମଣନାଥ ପଞ୍ଚାୟତରେ ଚଳିତବର୍ଷ ଚିନାବାଦାମ ଚାଷ ବହୁଳ ପରିମାଣରେ ହୋଇଥିବା ସହକାରୀ କୃଷି ଅଧିକାରୀ ରାଜଲକ୍ଷ୍ମୀ ମହାନ୍ତି ଓ କୃଷି ଅଧିକାରୀ ବଟକୃଷ୍ଣ ବାରିକ ସୂଚନା ଦେଇଛନ୍ତି । ସାଧାରଣତଃ ଜଳେଶ୍ୱର ଅଞ୍ଚଳରେ ଟିଏନ୍‌ଭି-୨ ଓ ସ୍ମୃତି ଚିନାବାଦାମ ବିହନ ଚାଷ ବ୍ୟାପକ ଭାବେ ହୋଇଥାଏ । ସରକାରୀ ଭାବେ ଉତ୍ତର ବାଲେଶ୍ୱରରେ ଫାଉଣ୍ଡେଶନ ବିହନ ବିକ୍ରି ବ୍ୟବସ୍ଥା କରି ନ ଥିବା ବେଳେ କେବଳ ଟ୍ରୁଥ୍‌ଫୁଲ ସିଡ୍‌ସ୍‌ (ସାଟିଫାଏଡ) ବିହନ ଯୋଗାଯାଇଛି । ଚାଷୀମାନଙ୍କୁ ପୂର୍ବରୁ ମିଳୁଥିବା ସବ୍‌ସିଡି, ରିହାତି ଦରରେ ସାର, ଔଷଧ, କୃଷି ଯନ୍ତ୍ରପାତି ଏବେ ମିଳୁ ନ ଥିବା ଅଭିଯୋଗ ହୋଇଛି । ଏକର ପ୍ରତି ବିହନ, ସାର, ଅଣୁସାର ଓ କୀଟନାଶକ ଲାଗି ୨୦ହଜାର ଖର୍ଚ୍ଚ ହୋଇଥାଏ । ଉତ୍ପନ୍ନ ହେଉଥିବା ଚିନାବାଦାମକୁ ୪୦ହଜାର ଟଙ୍କାରେ ବିକ୍ରି ହେଉଥିବା ବେଳେ ଚଳିତବର୍ଷ ବଜାର ନ ଥିବାରୁ ବହୁ କମ୍‌ ମୂଲ୍ୟରେ ବିକ୍ରି ହେବା ସମ୍ଭାବନା ରହିଛି।