କେନ୍ଦ୍ରାପଡ଼ା ଅଫିସ, ୧୨ା୭:ଆକାଶରେ ବାଦଲ ଅଛି, ବର୍ଷା ନାହିଁ। ମୌସୁମୀ ବର୍ଷା ଓଡ଼ିଶାକୁ ଛୁଇଁଥିବା ପାଣିପାଗ ବିଶେଷଜ୍ଞ ସୂଚନା ଦେଇଥିଲେ। ହେଲେ କେନ୍ଦ୍ରାପଡ଼ା ଜିଲାରେ ବର୍ଷା ପରିମାଣ ଖୁବ୍ କମ୍ ରହିଛି। ଗତ ୩ ମାସର ବର୍ଷା ପରିମାଣ ୨୦୨୧ ବର୍ଷଠାରୁ ୫୯୮.୪୪ ମିଲିମିଟର କମ୍ ରହିଛି। କ୍ଷେତ ଶୁଖିଲା ପଡ଼ିଥିବା ବେଳେ କେନାଲରେ ପାଣି ନାହିଁ। ଲଘୁଚାପ ବା ମୌସୁମୀ ବର୍ଷା ପାଇଁ ଚାଷୀ ଆକାଶକୁ ଚାହୁଁଛନ୍ତି। ଚାଷ ପାଇଁ ବିଭିନ୍ନ ସ୍ଥାନରୁ ଋଣ ଆଣି ଧାନ ବୁଣିଥିଲେ। ଏବେ ଏହା ଗଜାମରୁଡ଼ି ହେବ ବୋଲି ଚାଷୀ ଆଶଙ୍କା କରୁଛନ୍ତି। ଜଳସେଚନ ବିଭାଗର ଦୃଷ୍ଟି ଆକର୍ଷଣ ସତ୍ତ୍ୱେ କେନାଲକୁ ପାଣି ଛଡାଯାଉନାହିଁ। ତୁରନ୍ତ କେନାଲରେ ପାଣି ଛାଡିବାକୁ ସ୍ଥାନୀୟ ଅଞ୍ଚଳର ଚାଷୀ ଦାବି କରିଛନ୍ତି।
କୃଷି ବିଭାଗ ତଥ୍ୟ ଅନୁଯାୟୀ, ଜିଲାର ସମୁଦାୟ ଜଳସେଚିତ ୬୫,୦୩୨ ହେକ୍ଟର ଜମି ମଧ୍ୟରୁ ୪୫,୯୧୪ ହେକ୍ଟର ଜମି କେନାଲ ମାଧ୍ୟମରେ ଜଳସେଚିତ ହୋଇଥାଏ। ମହାନଦୀ ନର୍ଥ ଡିଭିଜନ ଅନ୍ତର୍ଗତ ଡେରାବିଶ ବ୍ଲକର ୨୯୬୧ ହେକ୍ଟର, ମାର୍ଶାଘାଇର ୧୦୫୫ ହେକ୍ଟର ଓ ଗରଦପୁର ବ୍ଲକର ୧୦୪୯ ହେକ୍ଟର ଜମି କେନାଲ ମାଧ୍ୟମରେ ଜଳସେଚିତ ହୋଇଥାଏ। ସେହିପରି କେନ୍ଦ୍ରାପଡ଼ା ଡିଭିଜନ ଅନ୍ତର୍ଗତ କେନ୍ଦ୍ରାପଡାର ୧୬,୩୫୭ ହେକ୍ଟର, ଡେରାବିଶର ୭୮୪୦ ହେକ୍ଟର, ମାର୍ଶାଘାଇର ୩୪୦୯ ହେକ୍ଟର, ମହାକାଳପଡ଼ାର ୩୦୦୭ ହେକ୍ଟର ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ୧୧,୦୪୯ ହେକ୍ଟର କ୍ଷେତ ଜମିକୁ କେନାଲ ମାଧ୍ୟମରେ ପାଣି ଯୋଗାଇ ଦିଆଯାଏ। ଅପରପକ୍ଷରେ ଆଳି, ରାଜନଗର ଓ ରାଜକନିକା ବ୍ଲକ ଅଞ୍ଚଳ ସହ ଅନ୍ୟ ବ୍ଲକର ଚାଷୀ ଉଠାଜଳସେଚନ ଓ ବର୍ଷା ଉପରେ ନିର୍ଭର କରିଥାନ୍ତି। ଜିଲା ଜରୁରିକାଳୀନ ବିଭାଗ ତଥ୍ୟ ଅନୁଯାୟୀ, ଗତ ୨୦୨୧ ମେ’ରେ ହାରାହାରି ୪୩୬.୨୨ ମି.ମି., ଜୁନରେ ୨୪୯.୧୧ ମି.ମି. ଓ ଜୁଲାଇରେ ୧୮୪ ମି.ମି ପରିମାଣର ବର୍ଷା ହୋଇଥିଲା। ଏହି ତୁଳନାରେ ଚଳିତବର୍ଷ ମେ’ରେ ହାରାହାରି ମାତ୍ର ୭୨.୧୧ ମି.ମି., ଜୁନ୍ରେ ୬୭ ମି.ମି ଓ ଜୁଲାଇ ୧୧ ତାରିଖ ସୁଦ୍ଧା ୧୩୨.୧୧ ମି.ମି ବର୍ଷା ହୋଇଛି। ଏହା ଚାଷ ପାଇଁ ଉପଯୁକ୍ତ ପରିମାଣର ବର୍ଷା ନୁହେଁ। କେନ୍ଦ୍ରାପଡ଼ା ବ୍ଲକ ଦେପୁରା ଗ୍ରାମର ଚାଷୀ ଜଗଦୀଶ ପତି କହିଛନ୍ତି, ରୁଆ ଧାନ ଥୁଆ କୁହାଯାଏ। କେନାଲ ପାଖାପାଖି ଜମିରେ ତଳି ପକାଯାଇ ଧାନ ତଳି ରୁଆଯାଏ। ସହଳ କିସମ ଧାନ ଗଛ ପାଇଁ ସମୟସୀମା ଅଛି। ଜୁଲାଇ ଆରମ୍ଭରୁ ଧାନତଳି ପକାଇଲେ ଶତ ପ୍ରତିଶତ ଗଛ ହେଉଥିବା ବେଳେ ମାସର ଶେଷକୁ ତଳି ପକାଇଲେ ପ୍ରାୟ ୬୦% ଗଛ ମିଳିବ। ତେବେ ଜିଲା ଜଳସମ୍ପଦ ବିଭାଗ ଏ ନେଇ ସଚେତନ ନୁହନ୍ତି। ଉପଯୁକ୍ତ ସମୟରେ କେନାଲରେ ପାଣି ଛାଡିବାକୁ ସେମାନେ ତପତ୍ରତା ଦେଖାଉନାହାନ୍ତି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ସୁଫଳ ମିଳୁନାହିଁ। ଡେରାବିଶ ବ୍ଲକ କୋଶିଦା ଗଁାର ଚାଷୀ କେଶବ ଚନ୍ଦ୍ର ସାମଲ ପ୍ରଶାସନର ଏପରି ଖାମଖିଆଲ ନୀତିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଅକ୍ଷୟତୃତୀୟାଠାରୁ ଚାଷୀ ଜିଲାରେ ଖରିଫ ଧାନଚାଷ ପାଇଁ କ୍ଷେତରେ ହଳକାର୍ଯ୍ୟ ଆରମ୍ଭ କରିଥାନ୍ତି। ବର୍ଷାକୁ ଦେଖି ଧାନ ବୁଣାବୁଣି କରାଯାଏ। ଚଳିତବର୍ଷ ଆବଶ୍ୟକ ବର୍ଷା ନ ହେବାରୁ ବୁଣାଧାନ ଗଜାମରୁଡି ଅବସ୍ଥାକୁ ଆସିଯାଇଛି। ଚାଷୀ ଋଣ କରି ଚାଷ କରିଥିବା ବେଳେ ଧାନ ନ ହେଲେ ଋଣ ଶୁଝିବା କଷ୍ଟକର ହେବ। କୃଷକ ନେତା ବିଧୁଭୂଷଣ ମହାପାତ୍ର କହିଛନ୍ତି, ରାଜ୍ୟର ଦ୍ୱିତୀୟ ଜଳପଥ ଏହି ଜିଲାରେ ଅଛି। ୭ ନଦୀ, ୨୭ ଶାଖା ନଦୀ ସହ ବୃହତ୍ କେନାଲ ଅଛି। ଏହାସତ୍ତ୍ୱେ ଜଳ ପରିଚାଳନା କୃଷି ପାଇଁ ବାଧକ ହୋଇଛି। ଜଳସେଚନ ପାଇଁ ଚାଷକୁ ଜଳ ମିଳୁ ନ ଥିବା ବଳେ ବନ୍ୟା ଓ ଅତ୍ୟଧିକ ବର୍ଷା ସମୟରେ ଉଦ୍ବୃତ୍ତ ଜଳ ନିଷ୍କାସନ ସମସ୍ୟା ଅଛି। କୃଷିଭିତ୍ତିକ ଅର୍ଥନୀତିରେ ପରିଚାଳିତ ଏହି ଜିଲାରେ ୭ ନଦୀର ସଂଯୋଗୀକରଣ ସହ ବିଭିନ୍ନ ସ୍ଥାନରେ କ୍ରିକ୍ ବନ୍ଧ ନିର୍ମାଣର ଆବଶ୍ୟକତା ଅଛି। କେନାଲର ପୁନରୁଦ୍ଧାର ନାମରେ ଘାସ ଚାଂଛି ଅର୍ଥ ହଡପ କରାଯାଉଛି। ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାଉତଙ୍କୁ ପଚାରିବାରେ ଆସନ୍ତା ୧୫ ତାରିଖ ସୁଦ୍ଧା କେନାଲରେ ପାଣି ଛଡାଯିବାକୁ ପ୍ରକ୍ରିୟା ଜାରି ରହିଛି। ଧାନଚାଷ ପାଇଁ କେନାଲ ପାଣି ବାଧକକୁ ସେ ଅସ୍ବୀକାର କରିଛନ୍ତି।