ଧାନ କଟ୍‌ନୀକୁ ବିରୋଧ: ପାକ୍ସରେ ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ଗୁଡ୍‌ଭେଲା,୧୮ା୧(ମନୋଜ କୁମାର ଜୈନ): ବଲାଙ୍ଗୀର ଜିଲା ଗୁଡ୍‌ଭେଲା ବ୍ଲକ ଅଧୀନ ନୂଆପଡ଼ା ପାକ୍ସରେ ଗୁରୁବାର ଅଭାବନୀୟ ଘଟଣା ଘଟିଛି। ବିନା କଟ୍‌ନୀରେ ଧାନ ଉଠି ପାରିବନି ଜାଣିବା ପରେ ନୂଆପଡ଼ା ଗ୍ରାମର ଅଶୋକ ମେହେର(୩୫) ବିଷ ପିଇବାକୁ ଉଦ୍ୟମ କରିଥିଲେ। ସେଠାରେ ଉପସ୍ଥିତ ଅନ୍ୟ ଚାଷୀମାନେ କୌଣସିମତେ ତାଙ୍କୁ ଏଥିରୁ ନିବୃତ୍ତ କରିଥିଲେ। ଏହାପରେ ଚାଷୀମାନେ ବିନା କଟ୍‌ନୀରେ ଧାନ ଉଠାଇବା ଦାବି କରି ପାକ୍ସ କାର୍ଯ୍ୟାଳୟ ଘେରାଉ କରିଥିଲେ। ଖବର ପାଇ କୋଅପରେଟିଭ ସୋସାଇଟି ଇନ୍ସପେକ୍ଟର ସୁମଜିତ ପ୍ରଧାନ ଓ ଆନାଲିସିସ ଟିମ୍‌ର ଜିଲା ଅଧିକାରୀ ସୁରେନ୍ଦ୍ର ଜେନା ଘଟଣାସ୍ଥଳରେ ପହଞ୍ଚି ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ଉତ୍ତେଜନାମୂକଳ ପରିସ୍ଥିତିକୁ ଆଖି ଆଗରେ ରଖି ପାକ୍ସ ପରିସରରେ ପୋଲିସ ମୁତୟନ କରାଯାଇଛି।

ସୂଚନା ମୁତାବକ ନୂଆପଡ଼ା ଗ୍ରାମର ଚାଷୀ ଅଶୋକ ମେହେରଙ୍କର ୨୨କୁଇଣ୍ଟାଲ ଧାନ ଗୁରୁବାର ଉକ୍ତ ମଣ୍ଡିରୁ ଉଠିବାର ଥିଲା। ଅପରାହ୍ନ ପ୍ରାୟ ୨ଟାରେ ସମ୍ପାଦିକା ମଣ୍ଡିକୁ ଆସିଥିଲେ। ଧାନରେ କଟ୍‌ନୀକୁ ନେଇ ଅଶୋକଙ୍କ ସହ ତାଙ୍କର ବଚସା ହୋଇଥିଲା। ଏଥିରେ ବ୍ୟଥିତ ହୋଇ ଅଶୋକ ସାଙ୍ଗରେ ଆଣିଥିବା ବିଷ ବୋତଲ ଖୋଲି ପିଇବାକୁ ଉଦ୍ୟମ କରିଥିଲେ। ସେଠାରେ ଉପସ୍ଥିତ ଅନ୍ୟ ଚାଷୀମାନେ ବିଷ(କୀଟନାଶକ) ବୋତଲ ଛଡାଇ ନେଇଥିଲେ। ଅନ୍ୟ ଏକ ଘଟଣାକ୍ରମରେ ଅଶୋକଙ୍କ ବଡ଼ଭାଇ ଅଜିତ ମେହେର ସମାନ ପ୍ରସଙ୍ଗକୁ ନେଇ ଗତ ୭ତାରିଖରେ ମଣ୍ଡିକୁ ଆଣିଥିବା ପ୍ରାୟ ୧୮କୁଇଣ୍ଟାଲ ଧାନ ମଙ୍ଗଳବାର ଧାର୍ଯ୍ୟ ତାରିଖରେ ଉଠି ପାରି ନ ଥିଲା।

ଆନାଲିସିସ ଟିମ୍‌ ଧାନର ମାନ ଯାଞ୍ଚ କରି କୁଇଣ୍ଟାଲ ପିଛା ୨କେଜି କଟ୍‌ନୀ କରିବାକୁ କହିଥିବା ବେଳେ ପାକ୍ସ ସମ୍ପାଦିକା ମାନିନୀ ପ୍ରଧାନ କୁଆଡେ ୫କେଜି କଟ୍‌ନୀ କରିବାକୁ କହିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଥିଲା। ଏଥିଯୋଗୁ ତାଙ୍କର ଟୋକନ ଲାପ୍‌ସ ହୋଇଯାଇଥିଲା। ଏଥିରେ ଅଜିତ ମାନସିକଭାବେ ଆଘାତପ୍ରାପ୍ତ ହୋଇ ଅସୁସ୍ଥ ହୋଇ ପଡିଥିଲେ। ବୁଧବାର ରାତିରେ ପୁଅକୁ ଚିକିତ୍ସା ପାଇଁ ଭୁବନେଶ୍ବର ନିଆଯାଇଥିବା ଅଜିତଙ୍କ ବାପା ଶଙ୍କର ମେହେର କହିଛନ୍ତି। ବଡଭାଇଙ୍କଟୋକନ ଲାପ୍‌ସ ହେବା ଓ ସାନ ଭାଇ ଅଶୋକ ଧାନ ବିକ୍ରି କରି ନ ପାରି ଆତ୍ମହତ୍ୟା ଉଦ୍ୟମ କରିବା ଚାଷୀ ମହଲରେ ଉଦ୍‌ବେଗ ସୃଷ୍ଟି କରିଛି।

ଚାଷୀ ଅଶୋକ ମେହେର କହିଛନ୍ତି ମୋ ଧାନର ମାନ ଠିକ୍‌ ଅଛି। ଏହାସତ୍ତ୍ୱେ ଧାନ ଉଠୁନାହିଁ। ଗୁରୁବାର ରାତି ୧୨ଟାରେ ତାଙ୍କର ଟୋକନ ଅବଧି ସରିଯିବ। ଏହି ସମୟରେ ଯଦି ତାଙ୍କର ଧାନ ନ ଉଠେ ତେବେ ସେ ନିଶ୍ଚିତଭାବେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି। ପାକ୍ସ ସମ୍ପାଦିକା ପ୍ରଧାନ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସମ୍ପୃକ୍ତ ଚାଷୀଙ୍କ ଧାନର ମାନ ଠିକ୍‌ ନ ଥିବାରୁ ଏପରି ସମସ୍ୟା ହୋଇଥିବା କହିଛନ୍ତି।

Share