Categories: ଜାତୀୟ

ସରକାରଙ୍କ ସହ ବୈଠକକୁ ପୁଣି ଥରେ ଖାଦ୍ୟ, ପାଣି ନେଇକି ଆସିଲେ କୃଷକମାନେ

ନୂଆଦିଲ୍ଲୀ,୫।୧୨: କୃଷି ଆଇନକୁ ବିରୋଧ କରୁଥିବା କୃଷକମାନଙ୍କ ସହ ଶନିବାର ପଞ୍ଚମ ଥର ପାଇଁ ସରକାର ବୈଠକ କରିଥିଲେ। ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ବୈଠକରେ କୌଣସି ସମାଧାନର ବାଟ ବାହାରି ପାରି ନାହିଁ। ପୂର୍ବ ଭଳି ଏଥର ମଧ୍ୟ କୃଷକମାନେ ନିଜ ସହିତ ଖାଦ୍ୟ, ପାଣି ଓ ଚା’ ନେଇକି ଆସିଥିଲେ। ସେମାନେ ବିଜ୍ଞାନ ଭବନଠାରେ ଆୟୋଜିତ ଭୋଜନ ଗ୍ରହଣ କରିବାକୁ ମନା କରି ଦେଇଥିଲେ। ଦିଲ୍ଲୀ ସୀମାରେ ଗତ ଏକ ସପ୍ତାହ ହେଲା ଆନ୍ଦୋଳନ କରୁଥିବା ଅନ୍ନଦାତାମାନେ ସେଠାରେ ରୋଷେଇ କରୁଛନ୍ତି।

ଅପରାହ୍ନ ୨.୩୦ରେ ଆରମ୍ଭ ହୋଇଥିଲା ପଞ୍ଚମ ରାଉଣ୍ଡ ବୈଠକ। ଏଥିରେ ଯୋଗ ଦେଇଥିଲେ ବିଭିନ୍ନ କୃଷକ ସଂଘର ୪୦ ଜଣ ପ୍ରତିନିଧୀ । ସାଥିରେ ଖାଦ୍ୟ, ପାଣି ଓ ଚା’ ନେଇ ଆସିଛନ୍ତି ବୋଲି ବିଜ୍ଞାନ ଭବନଠାରେ ଆୟୋଜିତ ବୈଠକରେ କୃଷକ ସଂଘର ମୁଖ୍ୟ କହିଥିଲେ। ଗତ ଗୁରୁବାର ହୋଇଥିବା ବୈଠକରେ ମଧ୍ୟ ସାଥିରେ ଖାଦ୍ୟ ଆଣିଥିଲେ କୃଷକମାନେ। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ତୋମାର, ରେଲଓ୍ବେ ଓ ଖାଦ୍ୟ ମନ୍ତ୍ରୀ ପିୟୁଷ ଗୋୟଲ ଓ ବାଣିଜ୍ୟ ରାଷ୍ଟ୍ର ମନ୍ତ୍ରୀ ସୋମ ପ୍ରକାଶ ବୈଠକରେ କୃଷକଙ୍କ ସହ ଆଲୋଚନା କରିଥିଲେ। ଉଲ୍ଲେଖଯୋଗ୍ୟ, ୩ କୃଷି ଆଇନକୁ ବିରୋଧରେ କୃଷକମାନେ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ କରୁଛନ୍ତି।

Share