Categories: ଜାତୀୟ

କୃଷି ଆଇନ ବିରୋଧରେ କୃଷକଙ୍କ ଭାରତ ବନ୍ଦ ଡାକରା, ୧୦ ମାସ ପୂରଣ ହେଲେ କରିବେ ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ,୨୭ ।୯: କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନକୁ ବିରୋଧ କରି ସୋମବାର ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ଏହି ଭାରତ ବନ୍ଦ ଆରମ୍ଭ ହୋଇଯାଇଛି ଯାହା ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଚାଲିବ । ଏହି ବନ୍ଦ ଡାକରାକୁ ଦେଶର କିଛି ରାଜନୈତିକ ଦଳ ବି ସମର୍ଥନ କରୁଛନ୍ତି । ଏହି ବନ୍ଦକୁ ଦେଖି ରାଜଧାନୀ ଦିଲ୍ଲୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଦିଲ୍ଲୀ ପୋଲିସ ସଫା ସଫା କହିଛି ପ୍ରଦର୍ଶନକାରୀଙ୍କୁ ରାଜଧାନୀ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ । ଗୋଟିଏ ପଟେ କୃଷକ ନେତା କହୁଛନ୍ତି ସରକାର ତାଙ୍କର ୩ କୃଷି ଆଇନକୁ ଫେରାଇ ନିଅନ୍ତୁ । ଅନ୍ୟପଟେ କେନ୍ଦ୍ର ସରକାର ଏ ନେଇ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା ପୁଣିଥରେ କହିଛନ୍ତି । ଯଦିଓ ବହୁବାର କଥା ହେବା ପରେ ଏହା ବିଫଳ ହୋଇଛି ଏବେ ବି କେନ୍ଦ୍ର ସରକାର ସେହି ପୁରୁଣା କଥାକୁ ଦୋହରାଉଛନ୍ତି । ଭାରତ ବନ୍ଦ ଡାକରାକୁ ନେଇ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଆନ୍ଦୋଳନ ଛାଡି ସରକାରଙ୍କ ସହ କଥା ହେବାର କାଟ ବାଛନ୍ତୁ କୃଷକ । ସରକାର ସେମାନଙ୍କ ଆପତ୍ତିକୁ ନେଇ ବିଚାର କରିବାକୁ ପ୍ରସ୍ତୁତ ଅଛନ୍ତି ।

Share