ପଟିଆଲା,୯।୧:ପଞ୍ଜାବ-ହରିୟାଣାର ଶମ୍ଭୁ ସୀମାରେ ଆନ୍ଦୋଳନରତ ଜଣେ ମଧ୍ୟବୟସ୍କ ଚାଷୀ ଗୁରୁବାର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ପଟିଆଲ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ସେହିପରି ଖନୌରି ବିକ୍ଷୋଭ ସ୍ଥଳରେ ଓ୍ବାଟର ହିଟର ହଠାତ୍ ଜଳିଉଠିବାରୁ ଜଣେ ଚାଷୀ ପୋଡ଼ିଯାଇ ଗୁରୁତର ହୋଇଛନ୍ତି।
ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ଉପରେ ଆଇନଗତ ଗ୍ୟାରେଣ୍ଟି ସମେତ ବିଭିନ୍ନ ଦାବି ନେଇ ବହୁସଂଖ୍ୟାରେ କୃଷକ ଗତବର୍ଷ ଫେବୃଆରୀ ୧୩ରୁ ଶମ୍ଭୁ ଏବଂ ଖନୌରି ଆନ୍ତଃରାଜ୍ୟ ସୀମାରେ ପଡ଼ି ରହିଛନ୍ତି। ଦାବି ପୂରଣ ପାଇଁ ଦିଲ୍ଳୀ ଚଲୋ ଅଭିଯାନରେ ବାହାରିଥିବା ବେଳେ ହରିୟାଣା ପୋଲିସ ବାଧା ଦେବାରୁ ସେମାନେ ସୀମାରେ ଡେରା ପକାଇଛନ୍ତି। ମୃତ ଚାଷୀ ରେଶମ ସିଂ(୫୫)ଙ୍କ ଘର ତର୍ନତରନ ଜିଲାର ପହୁ ଓ୍ବିଣ୍ଡ୍ ଗ୍ରାମରେ। ସେ ୧୦ଦିନ ହେଲା ଶମ୍ଭୁ ସୀମାରେ ଆନ୍ଦୋଳନରେ ସାମିଲ ହୋଇଥିଲେ ବୋଲି କିଷାନ ମଜଦୁର ମୋର୍ଚ୍ଚା ନେତା ସରଓ୍ବନ ସିଂ ପାନ୍ଧେର କହିଛନ୍ତି।