ଅଦିନିଆ କାଳବୈଶାଖୀରେ ଉଜୁଡିଲା ହଜାର ହଜାର ଚାଷୀଙ୍କ ଫସଲ, ସ୍ଥିତି ଅନୁଧ୍ୟାନ କରି ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି କହିଲେ…

କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ),୨୦।୨: କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଅଦିନିଆ କାଳବୈଶାଖୀରେ ଉଜୁଡିଗଲା ଚାଷ ଜମି। ସ୍ଥିତି ଅନୁଧ୍ୟାନ କରିଛନ୍ତି ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି। ଗୁରୁବାର କେନ୍ଦୁଝର ସଦର ବ୍ଲକ ଅର୍ନ୍ତଗତ ବାଉରିପଦା ପଞ୍ଚାୟତ, ଶକିଂରି ପଞ୍ଚାୟତର ମନୋହରପୁର, ପୋଟଲ, ବିସନାଥପୁର, କୁଶପଦା,ମୁକୁନା,ଶ୍ରଦ୍ଧାପୁର, ପୋଟଳ, ଜଡିପଦା, କଣ୍ଡରାପଶି, ଶକିଂର, ତେରଣ୍ଟି ପ୍ରଭୃତି ଗ୍ରାମ ଗୁଡିକରେ ଗୁରୁବାର ମଧ୍ୟାହ୍ନ ସମୟରେ କାଳବୌଶାଖୀରେ ପ୍ରବଳ ଝଡ଼ ତୋଫାନ ହେବା ସହିତ କୁଆପଥର ମାଡରେ ପନିପରିବା ଫସଲ ସମ୍ପୂର୍ଣ୍ଣ ନଷ୍ଟଭ୍ରଷ୍ଟ ହେଇଯାଇଛି। ଫୁଲକୋବି, ବନ୍ଧାକୋବି, ବିଲାତି, ବିମଛୁଇଁ, ମଟର, ଧନିଆ, ପିଆଜ, କଲରା, ଜହ୍ନି ପ୍ରଭୃତି ଫସଲ ବ୍ୟାପକ ଭାବେ ନଷ୍ଟ ହେଇ ହଜାର ହଜାର ଚାଷୀଙ୍କର ସର୍ବସ୍ବାନ୍ତ ହୋଇଯାଇଛି।

ଖବରପାଇ ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶର ସାହୁ ଆଜି ଘଟଣାସ୍ଥଳକୁ ଯାଇ କ୍ଷତିଗ୍ରସ୍ତ ଫସଲ କ୍ଷେତକୁ ପରିଦର୍ଶନ କରିବା ସହିତ ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ। ସନ୍ଧ୍ୟା ସମୟରେ ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶର ସାହୁ କେନ୍ଦୁଝର ଜିଲାପାଳଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିବା ସହିତ ତୁରନ୍ତ କୃଷି ବିଭାଗ ଓ ରାଜସ୍ବ ବିଭାଗର ମିଳିତ ସହଯୋଗରେ କ୍ଷୟକ୍ଷତି ଆକଳନ କରିବାକୁ ଅନୁରୋଧ କରିଛନ୍ତି। କାଳବୈଶାଖୀ ଓ କୁଆପଥର ମାଡରେ କ୍ଷତି ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଚାଷୀମାନଙ୍କୁ ସହାୟତା ପ୍ରଦାନ କରିବେ ବୋଲି ରାଜ୍ୟ ସଭାପତି ମହେଶର ସାହୁ କହିଛନ୍ତି। ଏହି ପରିଦର୍ଶନରେ ଭାଜପା ଜିଲା କାର୍ଯ୍ୟାଳୟ ସମ୍ପାଦକ ପ୍ରକାଶ ସୂତ୍ରଧର ଏବଂ ମିଡିଆ ସଂଯୋଜକ ବ୍ରଜକିଶୋର ରାୟ ପ୍ରମୁଖ ଉପସ୍ଥିତ ଥିଲେ।