ସମ୍ଭାବ୍ୟ ବାତ୍ୟା ଭୟ: ଧାନ କାଟିଲେଣି ଚାଷୀ

ଛତ୍ରପୁର,୧ା୧୨(ଡି.ଏନ୍‌.ଏ.): ଆସୁଛି ବାତ୍ୟା ‘ଜଓ୍ବାଦ’ । ଏନେଇ ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ । ୪ ତାରିଖରେ ଓଡ଼ିଶା ଉପକୂଳ ଛୁଇଁବ। ୩ ତାରିଖରୁ ଉପକୂଳରେ ହେବ ବର୍ଷା । ଏନେଇ ଗଞ୍ଜାମ ଜିଲା ସମେତ ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ଚାଷଜମିରେ ପାଣି ଜମିବା ସହ ଫସଲ ନଷ୍ଟ ହେବାର ଅଧିକ ସମ୍ଭାବନା ରହିଛି। ଚାଷୀମାନଙ୍କ ଫସଲ କିପରି ସୁରକ୍ଷିତ ରହିବ ସେଥି ସକାଶେ ଏକ ଜରୁରୀ ବୈଠକ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କନ୍‌ଫରେନ୍ସିଂ ମାଧ୍ୟମରେ ବିଡିଓ, ତହସିଲଦାର, ଇଓ, କୃଷି ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି l ଜିରୋ ଡ୍ୟାମେଜକୁ ନେଇ ଏକ ଖସଡ଼ା ପ୍ରସ୍ତୁତ କରିଛନ୍ତି l ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷାକୁ ନଜରରେ ରଖି ଚାଷୀମାନଙ୍କୁ ସୂଚନା ଦେବା ସହ ସଚେତନତା କରାଯିବ ଓ ଗ୍ରାମାଞ୍ଚଳରେ ମାଇକ୍‌ ଯୋଗେ ପ୍ରଚାର କରାଯିବ । ଅମଳ ସମୟରେ ଏଭଳି ବର୍ଷା ଓ ବାତ୍ୟା ଆଶଙ୍କା ଥିବାରୁ ଫସଲ ସୁରକ୍ଷିତ ଭାବେ ଗଛିତ ରହିବ ସେଥିପାଇଁ ଅଧିକାରୀ ମାନେ କାର୍ଯ୍ୟ କରିବେ । ଅମଳ ହୋଇଥିବା ଧାନକୁ ତୁରନ୍ତ କାଟି ସୁରକ୍ଷିତ ସ୍ଥାନରେ ରଖନ୍ତୁ। କଟା ହୋଇଯାଇଥିବା ଧାନକୁ ବେଙ୍ଗଳା କରି ଦିଅନ୍ତୁ କିମ୍ବା ସମସ୍ତ କଟା ଧାନ ଅମଳ ସମ୍ଭବ ନ ହେଲେ ପଲିଥିନ ଘୋଡ଼ାଇ ସୁରକ୍ଷିତ ରଖନ୍ତୁ ବୋଲି ଜିଲାପାଳ କହିଛନ୍ତି।