ଧାନ ବିକ୍ରି କରିବାର ୫୦ ଦିନ ପରେ ବି ଚାଷୀଙ୍କୁ ମିଳୁନି ଟଙ୍କା

କର୍ଲାମୁଣ୍ଡା:୨।୨(ଡି.ଏନ.ଏ.): ମଣ୍ଡିରେ ଧାନ ବିକ୍ରି କରିବାର ୭୨ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଜମା କରାଯିବାର ନିୟମ ରହିଥିଲେ ହେ ଚାଷୀମାନେ ସମୟ ସୀମା ଭିତରେ ପ୍ରାପ୍ୟ ରାଶି ପାଇପାରୁ ନ ଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଚାଷୀମାନେ କରିଛନ୍ତି। ଅଭିଯୋଗ କ୍ରମେ ଏହି ବ୍ଲକର ସଦର ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ରିଞ୍ଜା ସବ ମଣ୍ଡିରେ ଚାଷୀ ଧନପତି ସାହୁ ଡିସେମ୍ବର ୬ରେ ୫୭.୩୭ କୁଇଣ୍ଟାଲ, ଚିନ୍ତାମଣି ସାହୁ ଡିସେମ୍ବର ୨୩ ରେ ୩୨.୮୭ କୁଇଣ୍ଟାଲ, ସ. ମାଲପଡା ମଣ୍ଡିରେ ଚାଷୀ ସୁରେନ୍ଦ୍ର ସାହୁ ଡିସେମ୍ବର ୯ ତାରିଖରେ ୩୦.୨୧ କୁଇଣ୍ଟାଲ, ଚାଷୀ କନିଷ୍ଠ ରଣା ଡିସେମ୍ବର ୩୦ ତାରିଖରେ ୩୮.୭୬ କୁଇଣ୍ଟାଲ, କର୍ଲାମୁଣ୍ଡା ମଣ୍ଡିରେ ଚାଷୀ ଶକୁନ୍ତଳା ସାହୁ ଡିସେମ୍ବର ୨୭ ତାରିଖରେ ୩୧.୧୬ କୁଇଣ୍ଟାଲ, ଉମାକାନ୍ତ ଭୋଇ ଡିସେମ୍ବର ୧୩ ତାରିଖରେ ୭୫ କୁଇଣ୍ଟାଲ ଧାନ ବିକ୍ରି କରିଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା ଟଙ୍କା ପାଇ ନ ଥିବା ଜଣାପଡ଼ିଛି। ଏନେଇ ଯୋଗାଣ ଅଧିକାରୀ ସନ୍ତାକାର ପଧାନଙ୍କୁ ପଚାରିବାରୁ ଆମ ହାତରେ କିଛି ନାହିଁ ବୋଲି କହିଥିଲେ। ଅନ୍ୟପଟେ ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ଭବାନୀ ଶଙ୍କର ସାହୁଙ୍କୁ ପଚାରିବାରୁ ଆମେ ପ୍ରଶାସନ ନିକଟରେ ସୂଚନା ଦେଇସାରିଛୁ ବୋଲି କହିଛନ୍ତି। ଏଣୁ ଏ ଦିଗରେ ପଦକ୍ଷେପ ନେବାକୁ ଚାଷୀମାନେ ଅନୁରୋଧ କରିଛନ୍ତି।

Share