ଋଣ ଚିନ୍ତାରେ ବିଷ ପିଇଲେ ଚାଷୀ

ଜଳେଶ୍ୱର, ୧୬।୧୧(ଡି.ଏନ.ଏ.): ଚକଡ଼ା ପୋକ ଲାଗି ଚାଷ ଉଜୁଡ଼ିଯିବାରୁ ଜଣେ ଚାଷୀ ଋଣ ଶୁଝିବା ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ଆରୁହା ପଞ୍ଚାୟତ ଶାଳିକୋଠା ଗ୍ରାମରେ। ମୃତ ଚାଷୀ ହେଲେ ଲକ୍ଷ୍ମୀନାରାୟଣ ଜେନା(୬୮)।
ପରିବାର ଲୋକଙ୍କ କହିବା ଅନୁଯାୟୀ, ପ୍ରତିକୂଳ ପାଗ ଓ ଲଘୁଚାପ ଜନିତ ମାତ୍ରାଧିକ ବର୍ଷା ସତ୍ତ୍ୱେ ସେ ୧ଲକ୍ଷ ଟଙ୍କା ଋଣ କରି ୪ଏକର ଖରିଫ ଧାନଚାଷ କରିଥିଲେ। ନିଜ ଜମିରେ ଚକଡ଼ା ପୋକ ଲାଗି ଫସଲ ଉଜୁଡ଼ିଯାଇଥିବା ଦେଖି ସେ ମାନସିକ ଚିନ୍ତାରେ ଥିଲେ। ଋଣ ଶୁଝି ନ ପାରିବା ଭୟରେ ସୋମବାର ଲକ୍ଷ୍ମୀନାରାୟଣ ଘାସମରା ଔଷଧ କିଣି ଜମିରେ ପିଇ ଦେଇଥିଲେ। କିଛି ସମୟ ପରେ ସେ ସେଠାରେ ପଡ଼ିଯାଇଥିଲେ। ଅନ୍ୟ ଜମିରେ କାମ କରୁଥିବା ଜଣେ ଚାଷୀ ତାଙ୍କ ପାଖକୁ ଦୌଡ଼ି ଆସି ପରିବାର ଲୋକଙ୍କୁ ଖବର ଦେଇଥିଲେ। ତାଙ୍କୁ ପ୍ରଥମେ ଜଳେଶ୍ୱର ଓ ପରେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ମଙ୍ଗଳବାର ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଉଥିବା ବେଳେ ବାଟରେ ମୃତ୍ୟୁ ହୋଇଯାଇଥିଲା। ଲକ୍ଷ୍ମୀନାରାୟଣଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି  । ତାଙ୍କ ବିଧବା ସ୍ତ୍ରୀ, ଜଣେ ପୁତ୍ର ଓ କନ୍ୟାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

Share