ଟମାଟୋ ବିକି ଦେଢ଼ ମାସରେ ୪ କୋଟି ରୋଜଗାର କଲେ କୃଷକ…

ହାଇଦ୍ରାବାଦ,୨୯।୭ : ସମ୍ପ୍ରତି ଦେଶରେ ଟମାଟୋ ଦର ଆକାଶ ଛୁଆଁ ହୋଇଛି। ସାଧାରଣ ଲୋକଙ୍କ ଉପରେ ଟମାଟୋ ଦର ସାଧୁଥିବାବେଳେ ଆନ୍ଧ୍ରପ୍ରଦେଶର ଚିତୋର ଜିଲାର ଜଣେ କୃଷକଙ୍କର ଭାଗ୍ୟ ବଦଳି ଯାଇଛି। ସେ ମାତ୍ର ଦେଢ଼ ମାସ ମଧ୍ୟରେ ଟମାଟୋ ବିକି କୋଟିପତି ପାଲଟିଛନ୍ତି। ଏହି ସମୟ ମଧ୍ୟରେ ସେ ୪ କୋଟି ଟଙ୍କାର ଟକାଟୋ ବିକ୍ରି କରିଛନ୍ତି।

ଗତ ବର୍ଷ ଟମାଟୋ ଫସଲରେ କ୍ଷତି ଯୋଗୁ ତାଙ୍କର ଦେଢ଼ କୋଟି ଟଙ୍କା କ୍ଷତି ହୋଇଥିଲା। ମାତ୍ର ଚଳିତ ବର୍ଷ ତାଙ୍କର ଭାଗ୍ୟ ଚମକିବାରେ ଲାଗିଛି। ଏହି କୃଷକଙ୍କ ନାମ ହେଉଛି ୪୮ ବର୍ଷ ବୟସ୍କ ମୂରଲୀ। ଇତି ମଧ୍ୟରେ ସେ ୩୫ ଥର ଟମାଟୋ ବିକ୍ରି କରି ସାରିଲେଣି। ଆଉ ୧୫-୨୦ ଥର ଟମାଟୋ ବିକ୍ରି କରିବାର ଆଶା ରହିଛି। କିଲୋପିଛା ସେ ୨୦୦ ଟଙ୍କା ଦରରେ ଟମାଟୋ ବିକ୍ରି କରିଛନ୍ତି। ବେପାରୀ ତାଙ୍କଠାରୁ ଟମାଟୋ କିଣି ବଜାରରେ କିଲୋପିଛା ୨୨୦ରୁ ୨୫୦ ଟଙ୍କାରେ ବିକ୍ରି କରିଛନ୍ତି।

ଏବେ ମୂରଲୀ ଲାଭ ଟଙ୍କାରେ ୨୦ ଏକର ଚାଷ ଜମି କିଣିବାର ଯୋଜନା କରିଛନ୍ତି। ଏସବୁ ଜମିରେ ସେ ଅତ୍ୟାଧୁନିକ ଚାଷ ପ୍ରଣାଳୀର ଉପଯୋଗ କରିବେ ବୋଲି କହିଛନ୍ତି।

Share