ନୟାଗଡ଼,୧୬।୯(ଲୋକନାଥ ମିଶ୍ର): ଧାଡିରେ ଧାନବୁଣାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ୧୦ ହଜାର ଟଙ୍କା ସହାୟତା ରାଶି ଯୋଗାଇ ଦେଉଛନ୍ତି ।ତେବେ କୃଷି ବିଭାଗର ଅବହେଳା ଯୋଗୁ ଚାଷୀ ୨୦୨୩-୨୪ ଆର୍ଥିକ ବର୍ଷରେ ନୟାଗଡ଼ ଜିଲାରେ ଏହି ଅନୁଦାନ ପାଇବାରେ ଅସମର୍ଥ ହୋଇଛନ୍ତି । ଧାଡିରେ ଧାନବୁଣା କାର୍ଯ୍ୟକ୍ରମର ବିଳମ୍ବରେ ବିଜ୍ଞାପନ ଓ ଏନଜିଓ ଏଗ୍ରିମେଣ୍ଟକୁ ଅନୁଧ୍ୟାନ କଲେ ଅନୁଦାନ ରାଶିକୁ ଲୁଟିବାକୁ ଉଦ୍ୟମ କରାଯାଇଥିବା ଜଣାପଡୁଛି । ଯେଉଁଭଳି ଢ଼ଙ୍ଗରେ ବିଜ୍ଞାପନ ପ୍ରକାଶ ପାଇଛି ତାହା ଦୂର୍ନୀତି ପାଇଁ କସରତ କରାଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।
ଧାନ ବୁଣା ଓ ଧାନ ରୁଆ ପରେ କୃଷି ବିଭାଗ ଧାଡ଼ିରେ ଧାନ ବୁଣା ବିଜ୍ଞାପନ ପ୍ରକାଶ କରିଛି । ତାହା ପୁଣି କୌଣସି ଖବର କାଗଜରେ ବାହାରି ନ ଥିଲା । ଜିଲାପାଳଙ୍କ ୱେସାଇଟରେ କିଛି ଦିନ ରଖି ପୁଣି ଗାଏବ କରି ଦିଆଗଲା । ସେହିପରି ଜିଲା ଭିତର ଏନ୍ଜିଓଙ୍କୁ ଧାଡିରେ ଧାନବୁଣା କାର୍ଯ୍ୟକ୍ରମ ପାଇଁ ସୁଯୋଗ ଦିଆ ନ ଯାଇ କଟକ, ପୁରୀ ଓ ଭୁବନେଶ୍ୱର ଏନ୍ଜିଓମାନଙ୍କୁ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଛି । ପୁଣି ଜିଲାରେ ଧାଡିରେ ଧାନବୁଣା କାର୍ଯ୍ୟକ୍ରମ ଆଦୌ ହୋଇ ନ ଥିବାବେଳେ ୩ ଏନ୍ଜିଓଙ୍କ ସହ ହୋଇଥିବା ଏଗ୍ରିମେଣ୍ଟକୁ ବାତିଲ କରାଯାଇ ନାହିଁ । ଏଗ୍ରିମେଣ୍ଟକୁ ବାତିଲ କରାଯାଉ ନ ଥିବାରୁ ଧାନ କଟା ପରେ ରିପୋର୍ଟ ସଂଗ୍ରହ କରି ଅନିୟମିତତା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ଅନୁରୁପ ଅଭିଯୋଗ ଉଠିଛି । ଏଣୁ ଧାଡିରେ ଧାନ ବୁଣା କାର୍ଯ୍ୟକ୍ରମରେ କୃଷି ବିଭାଗର ଦୁର୍ନୀତିର ଗୁମର ଖୋଲି ଯାଇଥିବାରୁ ଜିଲାପାଳ ଏଗ୍ରିମେଣ୍ଟକୁ ବାତିଲ କରିବାକୁ ଚାଷୀମାନେ ଅନୁରୋଧ କରିଛନ୍ତି ।
ଯଦି ଏଗ୍ରିମେଣ୍ଟ ବାତିଲ କରା ନ ଯାଏ ତେବେ କେତେଜଣ ଚାଷୀ କୋର୍ଟ ଯିବାକୁ ପ୍ରସ୍ତୁତ ହେଉଛନ୍ତି । ସୂଚନା ଅନୁଯାୟୀ, ସରକାର ଧାଡିରେ ଧାନବୁଣା ପାଇଁ ହେକ୍ଟର ପିଛା ୧୦ ହଜାର ଟଙ୍କା ସହାୟତା ଯୋଗାଉଛନ୍ତି । ଏଥିରେ ଚାଷୀ ୭ ହଜାର ଟଙ୍କା, ଏନଜିଓ ପାଇବ ଅଢ଼େଇ ହଜାର ଟଙ୍କା ଓ କୃଷକ ସାଥି ୫୦୦ ଟଙ୍କା ପାଇବାର ରହିଛି । ଏନେଇ ଗଣିଆର ଚାଷୀ ଅକ୍ରୁର ପ୍ରଧାନ କୁହନ୍ତି, ମେ ଓ ଜୁନରେ ଧାନବୁଣା ଓ ରୁଆ ହୋଇଥାଏ ।
କୃଷି ବିଭାଗ ଧାଡିରେ ଧାନ ବୁଣା କାର୍ଯ୍ୟକ୍ରମ ପାଇଁ ଅଗଷ୍ଟରେ ଜିଲାପାଳଙ୍କ ୱେବସାଇଟ୍ରେ ବିଜ୍ଞାପନ ଓ ସେପ୍ଟେମ୍ବରରେ ଏନଜିଓଙ୍କ ସହ ଏଗ୍ରିମେଣ୍ଟ କରି ଧାଡ଼ିରେ ଧାନବୁଣା କିପରି କରିବାକୁ ପଦକ୍ଷେପ ନେଇଛନ୍ତି । କୃଷି ବିଭାଗର ବିଜ୍ଞାପନ ଓ ଏଗ୍ରିମେଣ୍ଟକୁ ଅନୁଧ୍ୟାନ କଲେ ଦୁର୍ନୀତିର ଛିଟା ବାହାରିଲାଣି । ପୁଣି କାର୍ଯ୍ୟକ୍ରମ ଯଦି ଫସର ଫାଟିଲା ତେବେ ଏନଜିଓ ଏଗ୍ରିମେଣ୍ଟକୁ କାହିଁକି ବାତିଲ କରାଯାଉନି । ଏଗ୍ରିମେଣ୍ଟ ବାତିଲ ନହେବା ପଛରେ ପୁଣି ଦୂର୍ନୀତି ଲୁଚି ରହିଛି । ୧୬ ତାରିଖରେ ଜିଲା ପରିଷଦ ବୈଠକ ଥିବାରୁ ଜିଲା ପରିଷଦ ସଭ୍ୟମାନେ ଏନେଇ ଆଲୋଚନା କରି ପଦକ୍ଷେପ ନେବା ଦରକାର ବୋଲି କହିଛନ୍ତି ।
ନୂଆଗଁାର ଚାଷୀ ଉଦ୍ଧବ ନାୟକ କୁହନ୍ତି, ସରକାର ଚାଷୀ ଓ ଚାଷକୁ ଗୁରୁତ୍ୱ ଦେଉଛନ୍ତି ।
ତେବେ କୃଷି ବିଭାଗ ଚାଷୀ ଓ ଚାଷ ଅନୁଦାନକୁ ଲୁଟିବାକୁ କାହିଁକି ଗୁରୁତ୍ୱ ଦେଉଛି ।
ଜିଲାପାଳ ଏହାର ସମୀକ୍ଷା କରି ପଦକ୍ଷେପ କାହିଁକି ନେଉ ନାହାନ୍ତି । କୃଷି ବିଭାଗର ଅନେକ ଅନିୟମିତତା ଲୁଚି ଯାଉଥିବାରୁ ଚାଷୀ ଓ ଚାଷ ସବୁବେଳେ ଉପେକ୍ଷିତ ହେଉଛନ୍ତି । ସରକାର ଦେଉଥିବା ସହାୟତା ଚାଷୀଙ୍କ ପାଖରେ ପହଞ୍ଚୁନି । ଚାଷୀଙ୍କ ପାଖରେ ପହଞ୍ଚିବା ପୁର୍ବରୁ ବିଭିନ୍ନ ଉପାୟରେ ତାକୁ ହରିଲୁଟ୍ କରାଯାଇ ସବୁ କିଛି ଠିକ୍ ଚାଲୁଛି ବୋଲି ରିପୋର୍ଟ ପ୍ରସ୍ତୁତ ହେଉଛି ।
ଏଣୁ ଧାଡିରେ ଧାନବୁଣା କାହିଁକି ଚାଷୀ ସୁଫଳ ପାଇଲେନି, ଏଥିରେ ହୋଇଥିବା ଅବ୍ୟବସ୍ଥାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି କହିଛନ୍ତି । ନୟାଗଡ଼ର ଚାଷୀ ଫକୀର ସାହୁ କୁହନ୍ତି, ଧାଡିରେ ଧାନ ବୁଣା କାର୍ଯ୍ୟକ୍ରମ ପାଇଁ ପୁରୀ ଜିଲାର ଏନ୍ଜିଓ ୪ଟି ବ୍ଲକ, ଭୁବନେଶ୍ୱରର ଏନଜିଓ ୨ଟି ବ୍ଲକ, କଟକର ଏନଜିଓ ୨ଟି ବ୍ଲକ ଏପରି ୮ଟି ବ୍ଳକ ଦାୟିତ୍ୱରେ ଅଛନ୍ତି ।
ତେବେ ଏନଜିଓମାନଙ୍କ ଦିନେ ପାଇଁ କୃଷି କ୍ଷେତ୍ରରେ ଦେଖା ନାହିଁ । ଧାଡିରେ ଧାନବୁଣା କାର୍ଯ୍ୟକ୍ରମ ଏଭଳି ପ୍ରସ୍ତୁତି ହୋଇଛି । ଏବର୍ଷ କିଛି ନ କରି ଅନୁଦାନକୁ କାଗଜପତ୍ର ଦେଖାଇ ହରିଲୁଟ୍ କରାଯିବ । ଆଗାମୀ ୨ ବର୍ଷରେ ସରକାରଙ୍କ ନୀତିକୁ ଦେଖି ପଦକ୍ଷେପ ନିଆଯିବ । ହେଲେ କୃଷି ବିଭାଗର ଏହି ଗୁମର ଧରାପଡିଯିବା ପରେ ଏନଜିଓ ଏଗ୍ରିମେଣ୍ଟ ତୁରନ୍ତ ବାତିଲ କରବା ଦରକାର । ନଚେତ ଆରବର୍ଷକୁ ଏନଜିଓ ନଁାରେ ବିଲ୍ ହୋଇ ସାରିଥିବ । ଧାଡିରେ ଧାନ ବୁଣା ଦୂର୍ନୀତକୁ ରୋକିବାକୁ ହେଲେ ପ୍ରଥମେ ଏନଜିଓ ଏଗ୍ରିମେଣ୍ଟ ବାତିଲ କରି ପରବର୍ତ୍ତୀ ପଦକ୍ଷେପ ନେବା ଦରକାର ବୋଲି ମତ ପ୍ରକାଶ ପାଇଛି ।
ଏନେଇ ଜିଲା ମୁଖ୍ୟ କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ ସାହୁ କୁହନ୍ତି, ଧାଡିରେ ଧାନ ବୁଣା ପାଇଁ ଏନଜିଓଙ୍କୁ ୩ ବର୍ଷ ପାଇଁ ଏଗ୍ରିିମେଣ୍ଟ ହୋଇଛି । ଚଳିତ ବର୍ଷ ଧାଡିରେ ଧାନ ବୁଣା ହୋଇ ପାରିଲାନି ବୋଲି ସ୍ବୀକାର କରିଛନ୍ତି । ତେବେ ଏଗ୍ରିମେଣ୍ଟ ବାତିଲ ସରକାରଙ୍କ ନୀତି ନିୟମକୁ ଦେଖି କରାଯିବ ବୋଲି କହିଛନ୍ତି ।