Categories: ଜାତୀୟ

ରାଲି ଅଧିକାର ଚାଷୀଙ୍କର ରହିଛି: ସଂଘ

ନୂଆଦିଲ୍ଲୀ, ୧୯।୧(ପି.ଟି.): ଶାନ୍ତିପୂର୍ଣ୍ଣ ଭାବେ ଟ୍ରାକ୍ଟର ରାଲି ବାହାର କରିବାର ସାମ୍ବିଧାନିକ ଅଧିକାରୀ ଚାଷୀଙ୍କର ରହିଛି ବୋଲି ଆନ୍ଦୋଳନରତ କୃଷକ ସଂଘ ନେତାମାନେ ସୋମବାର କହିଛନ୍ତି। ଜାନୁୟାରୀ ୨୬ ଟ୍ରାକ୍ଟର ରାଲିରେ ହଜାର ହଜାର ଲୋକ ଭାଗ ନେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଚାଷୀମାନେ ରାଜପଥ କିମ୍ବା ଉଚ୍ଚ ସୁରକ୍ଷା ବଳୟରେ ଥିବା ଅନ୍ୟ କୌଣସି ଅଞ୍ଚଳରେ ରାଲି କରିବାକୁ ଯାଉନାହାନ୍ତି। ସେମାନେ କେବଳ ଦିଲ୍ଲୀର ଆଉଟର ରିଙ୍ଗ୍‌ରୋଡ୍‌ରେ ରାଲି କରିବାକୁ ଥିବାରୁ ସାଧାରଣତନ୍ତ୍ର ଦିବସ ପରେଡ୍‌ ବ୍ୟାହତ ହେବନାହିଁ ବୋଲି ଭାରତୀୟ କୃଷକ ସଂଘ (ଲଖୋଓ୍ବାଲ୍‌)ର ପଞ୍ଜାବ ସାଧାରଣ ସମ୍ପାଦକ ପରମଜିତ୍‌ ସିଂ କହିଛନ୍ତି। ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିବାକୁ ଚାଷୀମାନେ ନିଷ୍ପତ୍ତି ନେଇ ନ ଥିଲେ। ଦିଲ୍ଲୀରେ ପ୍ରବେଶ ପୂର୍ବରୁ ସେମାନଙ୍କୁ ସେଠାରେ ଅଟକାଇଦିଆଯାଇଥିଲା। ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବାକୁ ଯାଇ ଆମେ ନିଶ୍ଚୟ ଦିଲ୍ଲୀରେ ପ୍ରବେଶ କରିବୁ ବୋଲି ପରମଜିତ୍‌ କହିଛନ୍ତି। ୨୬ ତାରିଖ ରାଲି ପରେ ଚାଷୀମାନେ ଆନ୍ଦୋଳନସ୍ଥଳକୁ ଫେରିଆସିବେ ବୋଲି ଅଖିଳ ଭାରତ କିଷାନ ସଭାର ପଞ୍ଜାବ ଉପସଭାପତି ଲଖବୀର ସିଂ କହିଛନ୍ତି। ପୋଲିସ ଟ୍ରାକ୍ଟର ରାଲି ପାଇଁ ଅନୁମତି ନ ଦେଲେ କ’ଣ କରିବେ ବୋଲି ପ୍ରଶ୍ନ ହେବାରୁ ବିକେୟୁ (ଏକତା ଉଗ୍ରହଣ) ସଭାପତି ଯୋଗୀନ୍ଦର ସିଂ ଉଗ୍ରହଣ କହିଥିଲେ, ରାଲି ହେବା ନିଶ୍ଚିତ। ପୋଲିସର ଆଇନଶୃଙ୍ଖଳା ଆଶଙ୍କା ଥିଲେ ସେ ସଂଯୁକ୍ତ କିଷାନ ମୋର୍ଚ୍ଚା ସହ ଆଲୋଚନା କରି ଟ୍ରାକ୍ଟର ରାଲି ପାଇଁ ବିକଳ୍ପ ରାସ୍ତାର ପ୍ରସ୍ତାବ ଦେଉ। କୃଷକ ସଂଗଠନ ତାହା ଗ୍ରହଣ କରିବ ବୋଲି ଯୋଗୀନ୍ଦର କହିଥିଲେ।

Share