Categories: ଜାତୀୟ

ଲାଲ୍‌ କିଲ୍ଲାରେ ପତାକା ଉଡାଇଲେ ଆନ୍ଦୋଳନକାରୀ !

ନୂଆଦିଲ୍ଲୀ, ୨୬/୧: କୃଷି ଆଇନକୁ ବିରୋଧ କରି ଆନ୍ଦୋଳନକାରୀଙ୍କ ପକ୍ଷରୁ ଦିଲ୍ଲୀରେ ଟ୍ରାକ୍ଟର ରାଲି ହୋଇଛି। କେତେକ ଆନ୍ଦୋଳନକାରୀ ଲାଲ୍‌ କିଲ୍ଲାରେ ପ୍ରବେଶ କରି ପତାକା ଉଡାଇଥିଲେ। ସେମାନେ ପୋଲିସ ବାଧାକୁ ଖାତିର ନ କରି ଏଭଳି କରିଥିଲେ। ତେବେ ଆନ୍ଦୋଳନକାରୀମାନେ ପ୍ରକୃତରେ ଗୁରୁଦ୍ୱାରାରେ ଉଡୁଥିବା ପତାକାକୁ ଉଡାଇଥିଲେ। ବ୍ୟାରିକେଡ଼ ଡେଇଁ ଆନ୍ଦୋଳନକାରୀ ଲାଲ୍‌କିଲ୍ଲାରେ ପ୍ରବେଶ କରି ବାଇକ୍‌ ଏବଂ ଟ୍ରାକ୍ଟର ଷ୍ଟଣ୍ଟ୍‌ କରିଥିଲେ। ଟ୍ରାକ୍ଟର ରାଲି ପାଇଁ ସର୍ତ୍ତମୂଳକ ଅନୁମତି ଦିଲ୍ଲୀ ପୋଲିସ ପକ୍ଷରୁ ପ୍ରଦାନ କରାଯାଇଥିଲେ ମଧ୍ୟ ମଙ୍ଗଳବାର ସକାଳୁ ଆନ୍ଦୋଳନକାରୀ ଏକାଧିକ ସୀମା ଦେଇ ଦିଲ୍ଲୀରେ ପ୍ରବେଶ କରିଥିଲେ। ଫଳରେ ସେମାନଙ୍କୁ ଅଟକାଇବା କଷ୍ଟକର ହୋଇଥିଲା। ଏହି ଘଟଣାକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିନ୍ଦା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଯୋଗୁ ଆନ୍ଦୋଳନକାରୀ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ସେମାନେ ଅଭିଯୋଗ କରିଛନ୍ତି। ସରକାର ଏହାର ସମାଧାନ କରିଥିଲେ ହୁଏତ ଏଭଳି ସ୍ଥିତି ସୃଷ୍ଟି ହୋଇ ନ ଥାନ୍ତା ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏଭଳି ହିଂସକ ପ୍ରଦର୍ଶନକୁ ବିଭିନ୍ନ ବର୍ଗ ପକ୍ଷରୁ ନିନ୍ଦା କରାଯାଇଛି।

Share