Categories: ଜାତୀୟ

ନୂଆ କୃଷି ଆଇନକୁ ସମର୍ଥନ କରି କୃଷିମନ୍ତ୍ରୀଙ୍କୁ ଭେଟିଲା କୃଷକ ସଙ୍ଘ

ନୂଆଦିଲ୍ଲୀ, ୧୨।୧୨- ନୂଆ କୃଷି ଆଇନକୁ ବିରୋଧରେ ଦିଲ୍ଲୀ-ହରିୟାଣା ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ଶନିବାର ୧୭ ଦିନରେ ପହଞ୍ଚିଛି। ପରିସ୍ଥିତି ଜଟିଳ ଆଡ଼େ ମୁହାଁଉଥିବାବେଳେ ସାମ୍ନାକୁ ଆସିଛି ଭିନ୍ନ ଖବର, ଯାହାକୁ ହଜମ କରିବା ସହଜ ନୁହେଁ। ହରିୟାଣାର କୃଷକ ସଙ୍ଘର ୨୯ ପ୍ରତିନିଧି ଦଳ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟି ନୂଆ କୃଷି ଆଇନକୁ ସମର୍ଥନ କରିଛନ୍ତି। ଯଦି ଏହି ଆଇନକୁ ରଦ୍ଦ କରାଯାଏ, ତେବେ ସେମାନେ ବିକ୍ଷୋଭ କରିବେ ବୋଲି ଧମକ ଦେଇଛନ୍ତି।

ଭାରତୀୟ କିଷାନ ୟୁନିୟନର (ମନ୍ନ)ର ହରିୟାଣା ଶାଖା ନେତା ଗୁନି ପ୍ରକାଶଙ୍କ ନେତୃତ୍ୱରେ ପ୍ରତିନିଧି ଦଳ କୃଷିମନ୍ତ୍ରୀ ତୋମାରଙ୍କୁ ଭେଟି ସମର୍ଥନ ପତ୍ର ଦେଇଛନ୍ତି। ଗତ ସେପ୍ଟେମ୍ବରରେ ସଂସଦରେ ପାରିତ ହୋଇଥିବା ନୂଆ କୃଷି ବିଲକୁ କାର୍ଯ୍ୟକାରୀ କରିବା ପାଇଁ ସେମାନେ ଦାବି କରିଛନ୍ତି। ଆଉ ୨୦୧୪ ପର୍ଯ୍ୟନ୍ତ ସ୍ବାମିନାଥନ କମିଶନଙ୍କ ସୁପାରିସକୁ ପୂର୍ବତନ ସରକାର କାହିଁକି କାର୍ଯ୍ୟକାରୀ କରି ନ ଥିଲା ବୋଲି ପ୍ରଶ୍ନ କରିଛନ୍ତି।

Share