କୃଷକଙ୍କ ଆୟ ଦୁଇଗୁଣ ହେଲାନି

ଭାଲଚନ୍ଦ୍ର ଷଡ଼ଙ୍ଗୀ

୨୦୧୪ରେ କ୍ଷମତାକୁ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ଦଳ ଦେଶରେ କୃଷି ସଙ୍କଟର ସମାଧାନ ସହ କୃଷକଙ୍କ ପାଇଁ ଭଲ ଦିନ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ। ଭାଜପା ନେତାମାନେ କ୍ଷମତାକୁ ଆସିଲେ ଦେଶରେ କୃଷି ସଙ୍କଟର ସମାଧାନ ସହ କୃଷକଙ୍କ ଆୟକୁ ଦୁଇଗୁଣ କରିବାକୁ ପ୍ରତିଶ୍ରୁତି ଦେଇ କୃଷକମାନଙ୍କ ସମର୍ଥନକୁ ହାତେଇବାରେ ଏକରକମ ସଫଳ ହୋଇଥିଲେ। ତେବେ କ୍ଷମତାକୁ ଆସିବାର ପ୍ରଥମ ତିନି ବର୍ଷ ଯାଏ ମୋଦି ସରକାର କୃଷକଙ୍କ ଆୟକୁ ଦୁଇଗୁଣ କରିବା ନେଇ ଏକଦମ୍‌ ଚୁପ୍‌ ରହିବା ପରେ ୨୦୧୭ରେ ସରକାର ନିଜର ପ୍ରତିଶ୍ରୁତିକୁ ଦୋହରାଇଥିଲେ। ସେହିବର୍ଷ ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ଆସନ୍ତା ପାଞ୍ଚ ବର୍ଷ ଅର୍ଥାତ୍‌ ୨୦୨୨ ସୁଦ୍ଧା ଦେଶର କୃଷକମାନଙ୍କ ଆୟକୁ ଦୁଇଗୁଣ କରିବାର ଦମ୍ଭୋକ୍ତି ପ୍ରକାଶ କରିଥିଲେ। କିନ୍ତୁ ପରିତାପର ବିଷୟ ମୋଦିଙ୍କ ସାଢ଼େ ଆଠ ବର୍ଷର ଶାସନ କାଳରେ ନା ସ୍ବାମୀନାଥନ୍‌ କମିଶନଙ୍କ ପ୍ରତିଶ୍ରୁତିକୁ ଲାଗୁ କରାଗଲା ନା କୃଷକଙ୍କ ଆୟକୁ ଦୁଇଗୁଣ କରିବା ଦିଗରେ କୌଣସି ପଦକ୍ଷେପ ନିଆଗଲା? ବରଂ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଏବଂ ଆକାଶଛୁଆଁ ଦରବୃଦ୍ଧି କୃଷକଙ୍କ ଉପତ୍ାଦନର ଖର୍ଚ୍ଚକୁ ପୂର୍ବାପେକ୍ଷା ଅନେକ ଗୁଣ ବଢ଼ାଇ ଦେଇଥିବାବେଳେ ସେମାନେ ନିଜ ଫସଲର ଉପଯୁକ୍ତ ଦର ପାଇବାରୁ ବଞ୍ଚତ୍ତ ହୋଇଛନ୍ତି।
ସରକାର କୃଷକଙ୍କ ଆୟକୁ ୨୦୨୨ ସୁଦ୍ଧା ଦୁଇଗୁଣ କରିବାକୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ସେଥିରେ ଯଦିଓ କୌଣସି ଅସୁବିଧା ନ ଥିଲା, କିନ୍ତୁ ସେଥିପାଇଁ ଯୋଜନା କରିବାର ଆବଶ୍ୟକ ଥିଲା। କାରଣ ପାଞ୍ଚ ବର୍ଷରେ କୃଷି ଆୟକୁ ଦ୍ୱିଗୁଣିତ କରିବାର ଅର୍ଥଟି ହେଲା ଦେଶର କୃଷି ଆୟରେ ବାର୍ଷିକ ଅଭିବୃଦ୍ଧି ହାର କମ୍‌ସେ କମ୍‌ ୧୪.୯% ହେବା। କିନ୍ତୁ ଅନ୍ୟପଟେ ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ କୃଷିର ହାରାହାରି ଅଭିବୃଦ୍ଧି ହାର ମାତ୍ର ୧.୭%ରେ ସୀମିତ ରହିଆସିଛି, ଯାହାକି ସରକାରଙ୍କ ପରିକଳ୍ପିତ ହାରଠାରୁ ଅନେକ ଗୁଣ କମ୍‌।
ମୋଦି ସରକାର ସମୟରେ ସାର, ବିହନ, କୀଟନାଶକ, ଡିଜେଲ, ବିଦ୍ୟୁତ୍‌, କୃଷି ଯନ୍ତ୍ରପାତି ପରି କୃଷି ପାଇଁ ଆବଶ୍ୟକ ସମସ୍ତ ଆନୁଷଙ୍ଗିକ ଖର୍ଚ୍ଚରେ ଆକାଶଛୁଆଁ ମୂଲ୍ୟବୃଦ୍ଧି ଘଟିଛି। ପରିଣାମ ସ୍ବରୂପ କୃଷକର ଉପତ୍ାଦନ ଖର୍ଚ୍ଚ ବହୁତ ବଢ଼ିଯାଇଛି। ଯଦିଓ ସରକାର ୟୁରିଆ ଦରକୁ ନିୟନ୍ତ୍ରଣ କରି ରଖିଛନ୍ତି କିନ୍ତୁ ପୂର୍ବରୁ ସେତିକି ଦରରେ ୫୦ କିଲୋ ୟୁରିଆ ମିଳୁଥିବା ବେଳେ ଏବେ ୪୫ କିଲୋ ମିଳୁଛି। ଅନ୍ୟପଟେ ୨୦୧୪ ପୂର୍ବରୁ ବଜାରରେ ୫୦ କେଜି ପଟାସ୍‌ ସାର ଦର ୫୦୦-୬୦୦ ଟଙ୍କାରୁ ୧୮୦୦ ଟଙ୍କାକୁ, ଗ୍ରୋମର ସାର ୫୦ କିଲୋକୁ ୮୦୦ ଟଙ୍କା ଥିବାବେଳେ ଏବେ ୧୮୦୦ ଟଙ୍କାକୁ ବୃଦ୍ଧି ପାଇଛି। ଡିଏପି ସାର ୮୦୦ ରୁ ୧୮୦୦ ଟଙ୍କା, ଏନ୍‌କେପି ସାର ୮୦୦ ଟଙ୍କାରୁ ୧୮୦୦ ଟଙ୍କା ଏବଂ ସୁପର ଫସ୍‌ଫରସ୍‌ ୫୦ କିଲୋକୁ ୧୦୦ ଟଙ୍କା ଥିବା ବେଳେ ଏବେ ୮୦୦ ଟଙ୍କା ହୋଇଛି। କୀଟନାଶକ ଔଷଧଗୁଡ଼ିକର ଦର ମଧ୍ୟ ଗତ ଆଠ ବର୍ଷ ମଧ୍ୟରେ ୫ରୁ ୮ ଗୁଣ ବଢ଼ିଛି। ପୂର୍ବରୁ ୩୦ କିଲୋ ଧାନ ବିହନ ୧୦୫ ଟଙ୍କାରେ ଉପଲବ୍ଧ ଥିବା ବେଳେ ଏବେ ୨୦ କିଲୋକୁ ୭୧୫ ଟଙ୍କାରେ କୃଷକମାନେ କିଣୁଛନ୍ତି।
କୃଷି ପାଇଁ ଆବଶ୍ୟକ ଯନ୍ତ୍ରପାତିରେ ସରକାର ଜିଏସ୍‌ଟିର ଦରକୁ ବୃଦ୍ଧି କରିଥିବାରୁ ତା’ର ଦର ବଢ଼ିଯାଇଛି। ସରକାର ଏସବୁ ଯନ୍ତ୍ରପାତିର କିଣାବିକାରେ ପୂର୍ବରୁ ଥିବା ୫% ଟିକସକୁ ବୃଦ୍ଧି କରି ୧୮% କରିଛନ୍ତି। ଫଳରେ ପୂର୍ବରୁ ପମ୍ପସେଟ୍‌ ୮୦୦୦ ଟଙ୍କାରେ ମିଳୁଥିଲା ଏବେ ୨୦,୦୦୦ ଟଙ୍କାରେ ଏବଂ ପାୱାର ଟିଲର ପୂର୍ବରୁ ୬୦ ହଜାର ଟଙ୍କା ଥିଲା ବେଳେ ଏବେ ୨ ଲକ୍ଷ ଟଙ୍କାରେ ମିଳୁଛି। ଏହାବ୍ୟତୀତ ଟ୍ରାକ୍ଟର, ଥ୍ରେସର ଓ ଅନ୍ୟାନ୍ୟ କୃଷି ଉପଯୋଗୀ ଯନ୍ତ୍ରପାତିର ଦରରେ ମଧ୍ୟ ବୃଦ୍ଧି ଘଟିଛି, ଯାହାକି କୃଷକଙ୍କ ଉପତ୍ାଦନ ଖର୍ଚ୍ଚକୁ ବଢ଼ାଇ ଦେଇଛି। ଦେଶରେ ପେଟ୍ରୋଲ ଓ ଡିଜେଲର ଆକାଶଛୁଆଁ ଦରବୃଦ୍ଧିର ପ୍ରଭାବ ବି କୃଷି ଉପତ୍ାଦନକୁ ପ୍ରଭାବିତ କରୁଛି। ଏକ ଅଧ୍ୟୟନ ଅନୁଯାୟୀ ୨୦୧୪-୧୫ ବେଳକୁ ରାଜ୍ୟରେ ଏକର ପିଛା ଧାନ ଚାଷ ପାଇଁ କୃଷକକୁ ୧୨ରୁ୧୩୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିବା ବେଳେ ଏବେ ୨୫ରୁ୨୬୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ପୂର୍ବରୁ ବ୍ୟାଙ୍କ୍‌ ଓ ସମବାୟ ସଂସ୍ଥା ଧାନଚାଷ ପାଇଁ ଏକର ପିଛା ୧୦ ହଜାର ଟଙ୍କା ଋଣ ଦେଉଥିବା ବେଳେ ଏବେ ୨୦ ହଜାର ଟଙ୍କାର ଋଣ ଦେବା ବି ଏହି ବର୍ଦ୍ଧିତ ଉପତ୍ାଦନ ଖର୍ଚ୍ଚକୁ ପ୍ରମାଣିତ କରୁଛି।
ଡ. ସ୍ବାମୀନାଥନ କମିଟି ନିଜ ସୁପାରିସରେ ଫସଲର ଉପତ୍ାଦନ ଖର୍ଚ୍ଚ ସହିତ ତା’ର ପଚାଶ ଭାଗ ଲାଭକୁ ମିଶାଇ ଅର୍ଥାତ୍‌ ସି-୨ + ୫୦% ହିସାବରେ ଫସଲର ମୂଲ୍ୟ ନିର୍ଦ୍ଧାରଣ କରି ସର୍ବନିମ୍ନ ସହାୟକ ଦର (ଏମ୍‌ଏସ୍‌ପି) ଦେବାକୁ କହିଥିଲେ। କିନ୍ତୁ ସରକାର ନିଜ ଶାସନକାଳରେ କୃଷକଙ୍କୁ ସେମାନଙ୍କ ଉପତ୍ାଦିତ ଦ୍ରବ୍ୟର ଲାଭଜନକ ମୂଲ୍ୟ ଦେବା କଥା ଛାଡ଼ନ୍ତୁ ନିଜର ପ୍ରତିଶ୍ରୁତି ମୁତାବକ ସ୍ବାମୀନାଥନ କମିଶନଙ୍କ ସୁପାରିସ ପ୍ରକାରେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଦେବାରେ ବିଫଳ ହୋଇଛନ୍ତି। ଏପରିକି ବିଭିନ୍ନ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ଦରରେ ଗତ ତିନି ବର୍ଷ ମଧ୍ୟରେ ଯେଉଁ ସାମାନ୍ୟ ବୃଦ୍ଧି କରି ସରକାର ଦର ଘୋଷଣା କରିଛନ୍ତି ତାହା ସମ୍ପୃକ୍ତ ଫସଲର ଉପତ୍ାଦନ ଖର୍ଚ୍ଚରେ ବୃଦ୍ଧି ଓ ବଜାରରେ ଦରବୃଦ୍ଧି ଠାରୁ ବି କମ୍‌ ଥିବା ଦେଖାଯାଇଛି। ଏପରିକି ସ୍ବାମୀନାଥନ୍‌ କମିଶନଙ୍କ ସୁପାରିସକୁ ଲାଗୁ କଲେ ବଜାର ଗଡ଼ବଡ଼ ହୋଇଯିବ ବୋଲି ସରକାର କିଛି ଦିନ ତଳେ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଜରିଆରେ ଜଣାଇଛନ୍ତି। କୃଷିଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ପ୍ରଦାନରେ ସରକାରଙ୍କ ନୀରବତା ଯୋଗୁ ଡାଲିଜାତୀୟ ଶସ୍ୟଠାରୁ ଆରମ୍ଭକରି ଆଳୁ, ଟମାଟୋ, ଲଙ୍କା ପର୍ଯ୍ୟନ୍ତ ପ୍ରାୟତଃ ସବୁ କୃଷିଜାତ ଦ୍ରବ୍ୟ କ୍ଷେତ୍ରରେ କୃଷକମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ମହାରାଷ୍ଟ୍ରଠାରୁ ଆରମ୍ଭକରି ଓଡ଼ିଶା ପର୍ଯ୍ୟନ୍ତ ସବୁଠି ଅଭାବୀ ବିକ୍ରିର ଶିକାର କୃଷକମାନେ ନିଜର ଉପତ୍ାଦିତ ସାମଗ୍ରୀକୁ ରାସ୍ତାରେ ଫୋପାଡ଼ି ପ୍ରତିବାଦ କରିବା ମଧ୍ୟ ଦେଖାଯାଇଛି।
ଦେଶରେ ବଢ଼ି ଚାଲିଥିବା କୃଷି ସଙ୍କଟ ଓ କୃଷକ ଆତ୍ମହତ୍ୟା ପଛରେ ଉପତ୍ାଦନ ଖର୍ଚ୍ଚରେ ଲଗାତର ବୃଦ୍ଧି, ବର୍ଦ୍ଧିତ ଋଣଗ୍ରସ୍ତତା, ଜଳସେଚନର ଅଭାବ ଏବଂ ଫସଲର ଉପଯୁକ୍ତ ଦର ନ ମିଳିବାକୁ ପ୍ରମୁଖ କାରଣ ହିସାବରେ ଚିହ୍ନିତ କରାଯାଉଛି। କିନ୍ତୁ ଉପରୋକ୍ତ କୌଣସି ପ୍ରସଙ୍ଗର ସମାଧାନ ପାଇଁ ସରକାର ଏଯାଏ ଆନ୍ତରିକତା ଦେଖାଇ ନାହାନ୍ତି। ବରଂ ସରକାରଙ୍କ ନୀତି ସବୁ କୃଷକଙ୍କ ଆୟକୁ ବଢ଼ାଇବା ବଦଳରେ କମାଇବାରେ ହିଁ ସହାୟକ ହୋଇଛି। ଖୋଦ୍‌ ନୀତି ଆୟାଗର ତଥ୍ୟ ଅନୁଯାୟୀ ୨୦୧୨-୧୮ ମଧ୍ୟରେ କୃଷକମାନଙ୍କ ଆୟରେ ବାର୍ଷିକ ମାତ୍ର ୦.୪୬% ଓ ୨୦୧୮-୨୦ ମଧ୍ୟରେ ୦% ବୃଦ୍ଧି ଘଟିଛି। ଦେଶର କୃଷକମାନଙ୍କ ହାରାହାରି ଦୈନିକ ଆୟ ୨୭ ଟଙ୍କା ମାତ୍ର ଥିବା ବେଳେ ମୁଣ୍ଡ ଉପରେ ହାରାହାରି ୭୪ ହଜାର ଟଙ୍କାର ଋଣବୋଝ ରହିଛି। ବହୁ ପ୍ରଚାରିତ ଫସଲ ବୀମା ଯୋଜନା ବି କୃଷକଙ୍କ ପରିବର୍ତ୍ତେ କେବଳ ବହୁରାଷ୍ଟ୍ରୀୟ ବୀମା କମ୍ପାନୀଙ୍କୁ ହିଁ ସହାୟକ ହେଉଥିବା ବେଳେ ପିଏମ୍‌-କିଷାନ୍‌ ଯୋଜନାରେ ଦିଆଯାଉଥିବା ରାଶି ନାମକୁମାତ୍ର ଏବଂ ତା’ର ପରିଧିରେ ବି ସବୁ କୃଷକ ଆସୁନାହାନ୍ତି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ୨୦୨୨ ସରିବାକୁ ଯାଉଥିବା ବେଳେ କୃଷକଙ୍କ ଆୟକୁ ଦୁଇଗୁଣ କରିବା ପାଇଁ ମୋଦି ସରକାର ଯେଉଁ ପ୍ରତିଶ୍ରୁତିି ଦେଇଥିଲେ ତାହା ଶେଷରେ ପ୍ରତାରଣାରେ ପରିଣତ ହୋଇଛି।
ମୋ: ୯୪୩୭୧୬୬୩୯୧