Categories: ଜାତୀୟ

‘ଅଣନିଃଶ୍ୱାସୀ କରିଦେଲେଣି ଚାଷୀ’

ନୂଆଦିଲ୍ଲୀ, ୨।୧୦(ପି.ଟି.): ସାରା ଦିଲ୍ଲୀକୁ ଆପଣମାନେ ଅଣନିଃଶ୍ୱାସୀ କରିସାରିଲେଣି। ଏବେ ସହର ଭିତରେ ପଶି ପୁଣିଥରେ ଆନ୍ଦୋଳନ ଚଳାଇବାକୁ ଚାହୁଁଛନ୍ତି ବୋଲି କ୍ଷୁବ୍ଧ ସୁପ୍ରିମକୋର୍ଟ ଶୁକ୍ରବାର ଚାଷୀ ସଂଗଠନକୁ ପ୍ରଶ୍ନ କରିଛନ୍ତି। କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଗତବର୍ଷ ନଭେମ୍ବରରୁ ଆନ୍ଦୋଳନ ଚଳାଇଥିବା ଚାଷୀ ଯନ୍ତର ମନ୍ତରରେ ସତ୍ୟାଗ୍ରହ ପାଇଁ ଅନୁମତି ଦେବା ନିମନ୍ତେ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନ କରିଥିଲେ। କୃଷି ଆଇନକୁ ଅଦାଲତରେ ଚ୍ୟାଲେଞ୍ଜ କରାଯାଇଥିବାବେଳେ ଆନ୍ଦୋଳନ ଚଳାଇବାର ଆବଶ୍ୟକ କ’ଣ। ନାଗରିକମାନଙ୍କର ଅବାଧ ଓ ନିର୍ଭୟରେ ଗମନାଗମନ କରିବାର ସମାନ ଅଧିକାର ରହିଛି। ତେଣୁ ସନ୍ତୁଳିତ ଦୃଷ୍ଟିକୋଣ ଆପଣାଯିବା ଆବଶ୍ୟକ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଆନ୍ଦୋଳନ ଚଳାଇବା ପାଇଁ ବିକ୍ଷୋଭକାରୀମାନେ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ଅନୁମତି ନେଇଛନ୍ତି କି ବୋଲି ଜଷ୍ଟିସ୍‌ ଏ.ଏମ୍‌. ଖାନ୍‌ଓ୍ବିଲକର ଏବଂ ସି.ଟି. ରବିକୁମାରଙ୍କ ଖଣ୍ଡପୀଠ ପ୍ରଶ୍ନ କରିବା ସହ ଆନ୍ଦୋଳନରେ ସେମାନେ ଖୁସି ଅଛନ୍ତି କି ବୋଲି ଜାଣିବାକୁ ଚାହିଁଥିଲେ।
ଯନ୍ତରମନ୍ତରରେ ଶାନ୍ତିପୂର୍ଣ୍ଣ ଏବଂ ଅହିଂସା ସତ୍ୟାଗ୍ରହ ଚଳାଇବା ଲାଗି ଅନୂ୍ୟନ ୨୦୦ ଚାଷୀ ତଥା ଆନ୍ଦୋଳନକାରୀଙ୍କୁ ଅନୁମତି ଦେବା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ କିଷାନ ମହାପଞ୍ଚାୟତ ଓ ଏହାର ଅଧ୍ୟକ୍ଷଙ୍କ ପକ୍ଷରୁ ଆବେଦନ କରାଯାଇଥିଲା। ଅଦାଲତରେ ପହଞ୍ଚତ୍ବା ପରେ ଏହା ଉପରେ ତଥା ନ୍ୟାୟିକ ବ୍ୟବସ୍ଥା ଉପରେ ଆସ୍ଥା ରଖିବାକୁ ହେବ ଯେ ଏହା ଆପଣଙ୍କ ମାମଲାର ଉପଯୁକ୍ତ ଭାବେ ବିଚାର କରିପାରିବ ବୋଲି ଖଣ୍ଡପୀଠ ଆବେଦନକାରୀଙ୍କ ଓକିଲଙ୍କୁ କହିଥିଲେ। କୃଷି ଆଇନ ବିରୋଧରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତେଣୁ ଏହାର ଶୁଣାଣି ଶୀଘ୍ର କରାଇବା ପାଇଁ ସେମାନେ ଅଦାଲତଙ୍କୁ ଅନୁରୋଧ କରିପାରିବେ ବୋଲି ଖଣ୍ଡପୀଠ କହିଥିଲେ।

Share