Categories: ଜାତୀୟ

କୃଷି ମନ୍ତ୍ରୀଙ୍କୁ ଚା, ପକୋଡାର ସ୍ବାଦ ଚାଖିବାକୁ ନିମନ୍ତ୍ରଣ କଲା କୃଷକ ସଂଗଠନ

ନୂଆଦିଲ୍ଲୀ,୨।୧୨: କୃଷକ ସଂଗଠନର ନେତାମାନେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ସେମାନଙ୍କ ପିକେଟିଂସ୍ଥଳକୁ ଆସି ଜିଲାପି, ଚା-ପକୋଡା’ର ସ୍ବାଦ ଚାଖିବାକୁ ନିମନ୍ତ୍ରଣ କରିଛନ୍ତି। ମନ୍ତ୍ରୀ ସେଠାକୁ ଆସି ସେମାନଙ୍କ ସହ କଥା ହେବା ଉଚିତ ବୋଲି କୃଷକମାନେ କହିଛନ୍ତି। ୩ଟି ନୂଆ କୃଷି ଆଇନକୁ ନେଇ ଚାଲିଥିବା ବିରୋଧକୁ ନେଇ ସରକାରଙ୍କ ସହ ମାରାଥନ ବୈଠକ ମଧ୍ୟରେ ବିରତି ସମୟରେ ଚା ପିଇବାକୁ ମନ୍ତ୍ରୀ ଅନୁରୋଧ କରିଥିଲେ। ଏହା ପରେ କୃଷକ ନେତାମାନେ ତାଙ୍କୁ ଏହି ନିମନ୍ତ୍ରଣ ଦେଇଥିଲେ। ସେପ୍ଟେମ୍ବରରେ ସରକାର ୩ଟି ନୂଆ କୃଷି ଆଇନ ପ୍ରଣୟନ କରିଥିଲେ ଯାହା ବିରୁଦ୍ଧରେ ବହୁ ସଂଖ୍ୟକ କୃଷକ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଦିଲ୍ଲୀସୀମାରେ ସେମାନେ ଏକତ୍ର ହୋଇଛନ୍ତି। ଖାଦ୍ୟ ଏବଂ ପାନୀୟ ପାଇଁ ଲଙ୍ଗର ବ୍ୟବସ୍ଥା ମଧ୍ୟ ଅଛି।
ଜାମହୁରୀ କିଷାନ ସଭାର କୁଲୱନ୍ତ ସିଂ ସାନ୍ଧୁ କହିଛନ୍ତି, ବୈଠକ ପରେ ତୋମାର ସାହେବ ଆମକୁ ଚା ପିଇବାକୁ ଅନୁରୋଧ କରିଛନ୍ତି। ଏହାର ପ୍ରତିବଦଳରେ, ଆମେ ତୋମାର ସାହେବଙ୍କୁ ଆମ ବିରୋଧ ସ୍ଥଳରେ ଚା ପିଇବାକୁ ନିମନ୍ତ୍ରଣ କରୁଛୁ। କେବଳ ଏତିକି ନୁହେଁ, ସେମାନଙ୍କୁ ଲଙ୍କରରେ ଜିଲାପି ଏବଂ ପକୋଡା ସହିତ ଖାଇବାକୁ ଦିଆଯିବ। ଏହା କହିବା ମାତ୍ରେ ପାଖରେ ଠିଆ ହୋଇଥିବା ଲୋକଙ୍କ ମୁହଁରେ ହସ ଫୁଟିଥିଲା। ଏହି ବୈଠକରେ ସରକାର ନୂଆ କୃଷି ଆଇନ ଉପରେ କୃଷକଙ୍କ ଆପତ୍ତି ଉପରେ ବିଚାର କରିବାକୁ ଏକ କମିଟି ଗଠନ କରିବାକୁ ପରାମର୍ଶ ଦେଇଛନ୍ତି। କିନ୍ତୁ ପ୍ରଦର୍ଶନ କରୁଥିବା ୩୫ କୃଷକ ସଂଗଠନର ପ୍ରତିନିଧୀମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତିନିଜଣ କେନ୍ଦ୍ରୀୟ ନେତାଙ୍କ ସହ ମାରାଥନ ବୈଠକ କୌଣସି ନିଷ୍ପତ୍ତି ବାହାରି ପାରିନାହିଁ। ଡିସେମ୍ବର ୨ ଅର୍ଥା ଆଜି ସରକାର ପରବର୍ତ୍ତୀ ପର୍ଯ୍ୟାୟ ବୈଠକ ଡାକିଛନ୍ତି।

 

Share