ଖୋର୍ଦ୍ଧା ଅଫିସ୍/ବେଗୁନିଆ,୨।୧(ଡି.ଏନ.ଏ):ଖୋର୍ଦ୍ଧା ଜିଲା ବେଗୁନିଆ ତହସିଲ ଅନ୍ତର୍ଗତ ସିକୋ ଗାଁରେ ଏକ ଅଘଟଣ ଘଟିଛି। ହାତୀ ଆକ୍ରମଣରେ ଜଣେ ଚାଷୀ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ସେହି ଗ୍ରାମର ରତ୍ନାକର ବେହେରା ଏବଂ ଗୁରୁତର ଆହତ ସେହି ଗ୍ରାମର ଦିନବନ୍ଧୁ ବରାଳ ବୋଲି ଜଣାପଡିଛି।
ସୂଚନାଯୋଗ୍ୟ, ରବିବାର ରାତିରେ ଉଭୟ ରତ୍ନାକର ଓ ବନ୍ଧୁ ନିଜ ଧାନ ଗଦାକୁ ଖଳାରେ ଜଗି ସୋଇଥିଲେ। ଦୁଇଟି ଦନ୍ତାହାତୀ ପଶି ଆସି ତାଙ୍କ ଧାନ ଗଦାକୁ ନଷ୍ଟ କରୁଥିଲେ। ଉଭୟ ଚାଷୀ ହାତୀ ଦୁଇଟିକୁ ଘଉଡାଇଲା ବେଳେ ରତ୍ନାକରଙ୍କୁ ଦଳି ପକାଇଥିଲେ। ପରେ ଦିନବନ୍ଧୁଙ୍କୁ ଆକ୍ରମଣ କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ଜିଲା ଚିକିତ୍ସାଳୟକୁ ଚିକିତ୍ସା ପାଇଁ ସ୍ଥାନୀୟ ଲୋକେ ପଠାଇଥିଲେ। ସେଠାରେ ଡାକ୍ତର ରତ୍ନାକରଙ୍କୁ ମୃତ ଘୋଷଣା କହିଥିଲେ। ଦିନବନ୍ଧୁଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ପଠାଇ ଦିଆଯାଇଛି। ଖବରପାଇ ବନ ବିଭାଗ ଟିମ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଛି। ହାତୀଙ୍କ ଉତ୍ପାତ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଭୟରେ ଆତଙ୍କ ଦେଖାଦେଇଛି।