ପ୍ରାକୃତିକ ବିିପର୍ଯ୍ୟୟ ଯୋଗୁ ଚାଷୀଙ୍କର ୩୧୬ ଲକ୍ଷ କୋଟିରୁ ଅଧିକ କ୍ଷତି, ଏସିଆରେ ସର୍ବାଧିକ…

ଓ୍ବାଶିଂଟନ,୧୫।୧୦ : (୦୧) ଗତ ତିନି ଦଶନ୍ଧି ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କୃଷକମାନେ ପ୍ରାୟ ୩୧୬.୪ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି। କୃଷକମାନେ ଫସଲ ଏବଂ ଗୃହପାଳିତ ପ୍ରାଣୀ ଆଦିକୁ ନେଇ ପ୍ରତିବର୍ଷ ହାରାହାରି ୧୦.୨୪ ଲକ୍ଷ କୋଟି ଟଙ୍କା ହରାଉଛନ୍ତି। ବିଶ୍ୱ କୃଷିର ମୋଟ ଘରୋଇ ଉତ୍ପାଦର ଏହା ପ୍ରାୟ ପାଞ୍ଚ ପ୍ରତିଶତ। ଖାଦ୍ୟ ଏବଂ କୃଷି ସଂଗଠନ (ଏଫଏଓ) ର ‘କୃଷି ଏବଂ ଖାଦ୍ୟ ସୁରକ୍ଷା ଉପରେ ବିପର୍ଯ୍ୟୟର ପ୍ରଭାବ’ ର ନୂତନ ରିପୋର୍ଟରେ ଏହା ସାମ୍ନାକୁ ଆସିଛି।

ରିପୋର୍ଟ ଅନୁଯାୟୀ, ଗତ ୩୦ ବର୍ଷ ମଧ୍ୟରେ ପ୍ରତିବର୍ଷ ହାରାହାରି ୬୯ ନିୟୁତ ଟନ ଧାନ ନଷ୍ଟ ହେଉଛି। ତୁଳନାତ୍ମକ ଭାବରେ, ଏହି କ୍ଷତି ୨୦୨୧ରେ ଫ୍ରାନ୍ସରେ ମୋଟ ଶସ୍ୟ ଉତ୍ପାଦନ ସହିତ ସମାନ। ସେହିଭଳି ଫଳ, ପନିପରିବା ଏବଂ ଆଖୁ ଫସଲରେ ବାର୍ଷିକ ପ୍ରାୟ ୪୦ ନିୟୁତ ଟନ କ୍ଷତି ରେକର୍ଡ କରାଯାଇଥିଲା, ଯାହାକି ୨୦୨୧ ମସିହାରେ ଜାପାନ ଏବଂ ଭିଏତନାମରେ ଫଳ ଏବଂ ପନିପରିବା ଉତ୍ପାଦନ ସହିତ ତୁଳନାତ୍ମକ ଭାବରେ ସମାନ। ବିପର୍ଯ୍ୟୟ ଯୋଗୁ ପ୍ରତିବର୍ଷ ହାରାହାରି ୧୬ ନିୟୁତ ଟନ ମାଂସ, ଅଣ୍ଡା ଏବଂ ଦୁଗ୍ଧଜାତ ଦ୍ରବ୍ୟ ନଷ୍ଟ ହେଉଛି ।

ରିପୋର୍ଟ ଅନୁଯାୟୀ, ଏସିଆରେ ବିପର୍ଯ୍ୟୟ ଯୋଗୁ କୃଷି ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏହା ପରେ ତାଲିକାରେ ଆଫ୍ରିକା, ୟୁରୋପ ଏବଂ ଆମେରିକା ରହିଛନ୍ତି। ତେବେ ଏସିଆରେ ଏହି କ୍ଷତି କୃଷି ମୂଲ୍ୟର ଚାରି ପ୍ରତିଶତ ହୋଇଥିବାବେଳେ ଆଫ୍ରିକାରେ ଏହା ପ୍ରାୟ ଆଠ ପ୍ରତିଶତ ରହିଛିା।

ଏଫଏଓ କହିଛି ବିପର୍ଯ୍ୟୟ ହେତୁ ବିଶ୍ୱ ସମ୍ଭାବ୍ୟ ଫସଲ ଏବଂ ପ୍ରାଣୀପାଳନ ଉତ୍ପାଦନର ଚାରି ପ୍ରତିଶତ ହରାଇ ସାରିଛି। ଏହି କ୍ଷତି ପ୍ରତିବର୍ଷ ୬.୯ ଟ୍ରିଲିୟନ କିଲୋ କ୍ୟାଲୋରୀ କିମ୍ବା ୭୦ ଲକ୍ଷ ବୟସ୍କଙ୍କ ବାର୍ଷିକ କ୍ୟାଲୋରୀ ଗ୍ରହଣ ସହିତ ସମାନ। ଯଦି ଏହି କ୍ଷତି ଗରିବ, ନିମ୍ନ ଏବଂ ମଧ୍ୟମ ଆୟକାରୀ ଦେଶ ପରିପ୍ରେକ୍ଷୀରେ ବ୍ୟାଖ୍ୟା କରାଯାଏ, ତେବେ ଦିନକୁ ୨୨ ପ୍ରତିଶତ କ୍ୟାଲୋରୀ କ୍ଷତି ହୋଇଥାଏ।

ଭାରତରେ ବିଗତ ବର୍ଷଗୁଡିକରେ ଫସଲ କ୍ଷୟକ୍ଷତି ସମ୍ପର୍କରେ ସଂସଦରେ ସରକାରୀ ଉତ୍ତରରୁ ସଂଗୃହିତ ତଥ୍ୟରୁ ଜଣାପଡିଛି ୨୦୧୬ମସିହାରୁ ପ୍ରବଳ ବର୍ଷା ଓ ବନ୍ୟା ପରି ପାଣିପାଗ ସମ୍ବନ୍ଧୀୟ ବିପର୍ଯ୍ୟୟ ଯୋଗୁଁ ୩.୬୦ କୋଟି ହେକ୍ଟର କୃଷି ଜମି ପ୍ରଭାବିତ ହୋଇଛି। ୨୦୧୬ମସିହାରେ, ୬୦.୬୫ ଲକ୍ଷ ହେକ୍ଟରରେ ଫସଲରେ ହୋଇଥିବା କ୍ଷୟକ୍ଷତିର ଆକଳନ ୪,୦୫୨.୭୨ କୋଟି ଟଙ୍କା ଥିଲା । ଯଦି ଏହା ୨୦୧୬ ଠାରୁ ୩.୬୦ କୋଟି ହେକ୍ଟର ଚାଷ ଅଞ୍ଚଳରେ ପ୍ରୟୋଗ କରାଯାଏ, ତେବେ ଏହା ୨୯,୯୩୯ କୋଟି ଟଙ୍କାର ଏକ ବଡ କ୍ଷତିରେ ପରିଣତ ହେବ ।

Share