Advertisement
Categories: ଜାତୀୟ

ମହାରାଷ୍ଟ୍ରରୁ ଦିଲ୍ଲୀ ଅଭିମୁଖେ କୃଷକଙ୍କ ପଦଯାତ୍ରା

ମୁମ୍ବାଇ,୨୪।୧: କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଚାଷୀ ସଂଗଠନର ଆନ୍ଦୋଳନ ଜାରି ରହିଛି। ସାଧାରଣତନ୍ତ୍ର ଦିବସରେ କୃଷକମାନେ ଏକ ଟ୍ରାକ୍ଟର ପରେଡ କରିବା ନେଇ ସୂଚନା ଦେଇଛନ୍ତି। ତେବେ ମହାରାଷ୍ଟ୍ରର ନାସିକରୁ ମୁମ୍ବାଇ ଅଭିମୁଖେ କୃଷକମାନେ ପଦଯାତ୍ରା ଆରମ୍ଭ କରିଛନ୍ତି। ଅଖିଳ ଭାରତୀୟ କିଷାନ ସଭା ପକ୍ଷରୁ ଏହି ପଦଯାତ୍ରା କରାଯାଉଥିବା ବେଳେ କୃଷକମାନେ ମୁମ୍ବାଇରେ ଏକାଠି ହୋଇ ଦିଲ୍ଲୀ ଅଭିମୁଖେ ଯିବାନେଇ ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରାୟ ୧୫ ହଜାର କୃଷକ ନାସିକରୁ ମୁମ୍ବାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଆନ୍ଦୋଳନକାରୀମାନେ କହିଛନ୍ତି, ମୁମ୍ବାଇ ପର୍ଯ୍ୟନ୍ତ ପଦଯାତ୍ରା କରିବୁ ଏବଂ ପରେ ୨୬ ଜାନୁୟାରୀରେ ଦିଲ୍ଲୀରେ ପହଞ୍ଚିବୁ। ଅନ୍ୟପକ୍ଷେ ଆନ୍ଦୋଳନ କରୁଥିବା କୃଷକମାନଙ୍କୁ ଆସନ୍ତା ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଟ୍ରାକ୍ଟର୍‌ ପରେଡ କରିବାକୁ ଅନୁମତି ମିଳିଛି। ନୂଆ କୃଷି ଆଇନ ନେଇ ଚାଷୀ ନେତାମାନେ ସରକାରଙ୍କ ପ୍ରସ୍ତାବରେ ରାଜି ନାହାନ୍ତି। ସରକାର ୧୮ ମାସ ପାଇଁ କୃଷି ଆଇନର କାର୍ଯ୍ୟକାରିତା ଉପରେ ରୋକ ଲଗାଇବାକୁ କହିଥିଲେ। ହେଲେ ଚାଷୀମାନେ ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଅଟଳ ରହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share