ଚାନ୍ଦବାଲି,୨୪।୨(ଡି.ଏନ୍.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକରେ ଚିଙ୍ଗୁଡି ଚାଷ ଦ୍ୱାରା କ୍ଷତିଗ୍ରସ୍ତ କୃଷକ ମିଳିତ ମଞ୍ଚ ଚାନ୍ଦବାଲି ପକ୍ଷରୁ ବୁଧବାର ସକାଳୁ ଭଦ୍ରକ ଅଭିମୁଖେ ଏକ ପଦଯାତ୍ରା ଆରମ୍ଭ ହୋଇଛି। ଚାଷୀମାନେ ଏକତ୍ରିତ ହୋଇ ଚାନ୍ଦବାଲିରୁ ଭଦ୍ରକ ପ୍ରାୟ ୫୦ କିମି ପଦଯାତ୍ରା କରିବା ପରେ ଭଦ୍ରକ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ବେଆଇନ ଚିଙ୍ଗୁଡି ଘେରି ନିର୍ମାଣ ବନ୍ଦ, ଚିଙ୍ଗୁଡି ଚାଷ ଯୋଗୁ କ୍ଷତିଗ୍ରସ୍ତ କୃଷକଙ୍କୁ କ୍ଷତିପୂରଣ ପ୍ରଦାନ, ଚିଙ୍ଗୁଡି ପୋଖରୀରୁ ନିର୍ଗତ ବର୍ଜ୍ୟବସ୍ତୁର ବିଶୋଧନ ଭଳି କେତେକ ଦାବି କୃଷକ ମିଳିତ ମଞ୍ଚ ପକ୍ଷରୁ ଉପସ୍ଥାପନ କରାଯାଇଛି।