Categories: ଜାତୀୟ

ହରିୟାଣା ନିର୍ବାଚନକୁ ପ୍ରଭାବିତ କରିବ କୃଷକ ଆନ୍ଦୋଳନ

ନୂଆଦିଲ୍ଲୀ,୧୯ା୮(ପି.ଟି.): ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ହରିୟାଣାରେ କୃଷକ ସଂଗଠନଗୁଡ଼ିକ ଶାସକ ଭାଜପା ବିରୋଧରେ ପୁଣିଥରେ ବିଷୋଦ୍‌ଗାର କରିଛନ୍ତି। ସେମାନେ ବିଭିନ୍ନ ପ୍ରସଙ୍ଗ ଓ ବକେୟା ଦାବି ନେଇ ମହାପଞ୍ଚାୟତ ଜରିଆରେ ଆନ୍ଦୋଳନ ଜାରି ରଖିବାକୁ ଯୋଜନା କରିଛନ୍ତି, ଯାହା ଆଗାମୀ ନିର୍ବାଚନକୁ ପ୍ରଭାବିତ କରିବ ବୋଲି କୁହାଯାଉଛି। ବର୍ତ୍ତମାନ ରଦ୍ଦ ହୋଇଥିବା ୩ ବିବାଦୀୟ କୃଷି ଆଇନ ବିରୋଧରେ ୨୦୨୦-୨୧ କୃଷକ ଆନ୍ଦୋଳନରେ ହରିୟାଣାର ଚାଷୀମାନେ ମୁଖ୍ୟ ଭୂମିକା ନେଇଥିଲେ। ସଂଯୁକ୍ତ କିଷାନ ମୋର୍ଚ୍ଚା ବ୍ୟାନରରେ ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ଦେଢ଼ବର୍ଷ ଧରି ଚାଲିଥିଲା। ଫଳରେ କେନ୍ଦ୍ର ସରକାର ୩ ବିବାଦୀୟ ଆଇନକୁ ରଦ୍ଦ କରିବାକୁ ବାଧ୍ୟ ହୋଇଥିଲେ। ପରେ ଉକ୍ତ ସଂଗଠନ ବିଭାଜିତ ହୋଇ ସଂଯୁକ୍ତ କିଷାନ ମୋର୍ଚ୍ଚା (ଅଣରାଜନୈତିକ) ସୃଷ୍ଟି ହୋଇଥିଲା। ଏବେ ପଞ୍ଜାବ ଓ ହରିୟାଣାର ଶମ୍ଭୁ ଏବଂ ଖନୌରି ସୀମାରେ ଉକ୍ତ ସଂଗଠନ ଓ କିଷାନ ମଜଦୁର ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଉଭୟ ସଂଗଠନ ଭାଜପାକୁ ବିରୋଧ କରୁଛନ୍ତି। ଚାଷୀ ଆନ୍ଦୋଳନର ପ୍ରଭାବ ଗତ ଲୋକ ସଭା ନିର୍ବାଚନରେ ସ୍ପଷ୍ଟ ଜଣାପଡ଼ିଥିଲା। ଆଗାମୀ ବିଧାନସଭା ନିର୍ବାଚନକୁ ମଧ୍ୟ ଏହା ପ୍ରଭାବିତ କରିବ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା (ଅଣରାଜନୈତିକ)ର ନେତା ଅଭିମନ୍ୟୁ କୋହର କହିଛନ୍ତି। ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଏବଂ ସ୍ବାମୀନାଥନ କମିଶନଙ୍କ ସୁପାରିସ କାର୍ଯ୍ୟକାରୀ କରିବା ହରିୟାଣା ଗ୍ରାମାଞ୍ଚଳର ମୁଖ୍ୟ ପ୍ରସଙ୍ଗ। ଅଗ୍ନିବୀର ଯୋଜନା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ପାଣ୍ଠି ହ୍ରାସ ମଧ୍ୟ ଗ୍ରାମାଞ୍ଚଳ ଭୋଟରଙ୍କୁ ପ୍ରଭାବିତ କରିବ ବୋଲି ଅଭିମନ୍ୟୁ କହିଛନ୍ତି।

Share