Categories: ଜାତୀୟ

ତୀବ୍ର ହେବ ଚାଷୀ ଆନ୍ଦୋଳନ

ଅମୃତସର/ହିସାର/ମୁଜାଫରନଗର,୧୭।୨(ପି.ଟି.): ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌)ର ଭାରତ ବନ୍ଦ ଡାକରା ଯୋଗୁ ଶୁକ୍ରବାର ପଞ୍ଜାବରେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଥିଲା। ଫଳରେ ବସ୍‌ଯାତ୍ରୀମାନେ ବିଭିନ୍ନ ଷ୍ଟାଣ୍ଡରେ ଅଟକି ରହି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ ଆଇନଗତ ଗ୍ୟାରେଣ୍ଟି ଦାବି ଗ୍ରହଣ କରିବା ନିମନ୍ତେ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ‘ଭାରତ ବନ୍ଦ’ ଡାକରା ଦିଆଯାଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ଦୋକାନବଜାର ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିବାବେଳେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ପଠାନକୋଟ, ତର୍ନତରନ, ବଠିଣ୍ଡା ଏବଂ ଜଳନ୍ଧର ଆଦି ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ଅବରୋଧ କରିଥିଲେ।
ଭାରତ ବନ୍ଦ ଯୋଗୁ ହରିୟାଣାର ହିସାରରେ ସଡ଼କ ପରିବହନ ସେବା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିଲା। ପରିବହନ କର୍ମଚାରୀମାନେ ଭାରତ ବନ୍ଦକୁ ସମର୍ଥନ ଜଣାଇ କାମରେ ଯୋଗଦେଇ ନ ଥିଲେ। ହରିୟାଣାର ବିଭିନ୍ନ ଟୋଲ ପ୍ଲାଜାରେ ଭାରତୀୟ କିଷାନ ୟୁନିୟନ (ଚାରୁନି)ର ସଦସ୍ୟମାନେ ଧାରଣାରେ ବସିବାରୁ ଟୋଲ୍‌ ଆଦାୟ ହୋଇପାରି ନ ଥିଲା। ଏହା ବ୍ୟତୀତ ପଶ୍ଚିମ ଉତ୍ତରପ୍ରଦେଶରେ ମଧ୍ୟ ବନ୍ଦ୍‌ର ପ୍ରଭାବ ଦେଖିବାକୁ ମିଳିଥିଲା। ସ୍ବାମୀନାଥନ କମିଶନଙ୍କ ରିପୋର୍ଟ କାର୍ଯ୍ୟକାରୀ କରିବା, କୃଷିଋଣ ଛାଡ଼ ଆଦି ବିଭିନ୍ନ ଦାବି ନେଇ ଆନ୍ଦୋଳନ ଜାରି ରହିଥିବା ଟିକାଏତ୍‌ କହିଛନ୍ତି। ବିଜନୁର୍‌ରେ ବିକେୟୁ ସଦସ୍ୟମାନେ ଆଖୁ ଓଜନ କେନ୍ଦ୍ରରେ କାମ ବନ୍ଦ କରାଇଥିଲେ। ବାଗପତ୍‌ରେ ବନ୍ଦ ସମର୍ଥନରେ ପ୍ରତୀକ ବିକ୍ଷୋଭ କରାଯାଇଥିଲା। ଆନ୍ଦୋଳନକାରୀ ଚାଷୀଙ୍କ ସ୍ବର ଚାପିଦେବାକୁ କେନ୍ଦ୍ର ଉଦ୍ୟମ କରୁଛନ୍ତି। କୃଷକ ଆନ୍ଦୋଳନକୁ ଦେଖାଉଥିବା ୭୦ ଜଣ ୟୁଟ୍ୟୁବରଙ୍କ ଆକାଉଣ୍ଟକୁ ସ୍ଥଗିତ ରଖାଯାଇଥିବା ପଞ୍ଜାବ କିଷାନ ମଜଦୁର ସଂଘର୍ଷ କମିଟି ସାଧାରଣ ସମ୍ପାଦକ ସରଓ୍ବନ ସିଂ ପାନ୍ଧେର୍‌ କହିଛନ୍ତି।

Share