ପଟ୍ଟାମୁଣ୍ଡାଇ, ୨୫ା୧ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ବହୁ ଚାଷୀ ଏବେ ଚାଷ ପ୍ରତି ବିମୁଖ ହେଉଛନ୍ତି। ଏହି ଅଞ୍ଚଳରେ ୮୦% ଲୋକେ ଚାଷ ଉପରେ ନିର୍ଭର କରିଥା’ନ୍ତି। ମାତ୍ର ଚାଷରୁ ପୂର୍ବଭଳି ଲାଭ ହେଉ ନ ଥିବାରୁ ଚାଷୀ ଚାଷ କରିବାକୁ ମନ ବଳାଉନାହାନ୍ତି। ଏଥିପାଇଁ କୃଷି ବିଭାଗ, ଜଳସମ୍ପଦ ବିଭାଗ, ସମବାୟ ବିଭାଗ ଓ ମାର୍କଫେଡ୍ ଏକ ପ୍ରକାର ଦାୟୀ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ବାତ୍ୟା ଓ ମରୁଡ଼ିରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କୃଷି ବିଭାଗ କିମ୍ବା ବୀମା କମ୍ପାନୀ ପକ୍ଷରୁ ଆର୍ଥିକ ସହାୟତା ଠିକ୍ ଭାବେ ମିଳିପାରିନାହଁ। ଶୀତଳଭଣ୍ଡାର ନ ଥିବାରୁ ଉତ୍ପାଦିତ ସାମଗ୍ରୀ ନଷ୍ଟ ହେଉଛି। ମୂଲିଆ ମଜୁରି ମଧ୍ୟ ବଢ଼ିବାରେ ଲାଗିଥିବାରୁ ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ଚାଷୀ ପାଉନାହାନ୍ତି। ଏହା ମଧ୍ୟ ଚାଷରୁ ବିମୁଖ ହେବାର ଅନ୍ୟ ଏକ କାରଣ ବୋଲି କୃଷକ ନେତା, ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।
କୃଷକ ନେତା ବିଜୟ ଦାସ, ସୁରେନ୍ଦ୍ର ପରିଡ଼ା, କୁଞ୍ଜବିହାରୀ ନାୟକ ପ୍ରମୁଖ କହିଛନ୍ତି, ରାଜ୍ୟର ପ୍ରମୁଖ ଜିଲା ଭାବେ କେନ୍ଦ୍ରାପଡ଼ାର ସ୍ବତନ୍ତ୍ର ପରିଚୟ ରହିଛି। ଏକଦା ମନ୍ତ୍ରୀପଡ଼ା ଭାବେ ପରିଚିତ କେନ୍ଦ୍ରାପଡ଼ା ଆଜି ବି ଶିଳ୍ପବିହୀନ। ଜିଲାର ୮୦% ଲୋକ କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରିଥା’ନ୍ତି। ଶିକ୍ଷିତ ଯୁବତୀ ଯୁବକମାନେ ନିଯୁକ୍ତି ଅଭାବରୁ ବେକାର ହୋଇ ବସିଥିବାବେଳେ କାମଧନ୍ଦା ନ ପାଇ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି। ଅଧିକନ୍ତୁ ଯେଉଁମାନେ କୃଷି ଉପରେ ଭରସା କରି ନିଜର ଭବିଷ୍ୟତ ଓ ତେଲଲୁଣର ସଂସାରକୁ ଗଢ଼ିବା ପାଇଁ ସ୍ବପ୍ନ ଦେଖୁଛନ୍ତି, ସେମାନେ ମଧ୍ୟ ବହୁ ସମୟରେ ହତାଶ ହେଉଛନ୍ତି। କୃଷି ସାମଗ୍ରୀର ଉଚିତ ଦର ମିଳୁ ନ ଥିବାବେଳେ ଶୀତଳଭଣ୍ଡାର ଅଭାବରୁ ଅଧିକାଂଶ ସମୟରେ ଉତ୍ପାଦିତ ସାମଗ୍ରୀ ନଷ୍ଟ ହେଉଛି। ଅର୍ଥକରୀ ଫସଲ ଭାବେ ପରିଚିତ ପନିପରିବା ରକ୍ଷଣାବେକ୍ଷଣ ଅଭାବରୁ ପଚି ନଷ୍ଟ ହେଉଛି। କିଛିଦିନ ହେବ ଅଦିନିଆ ବର୍ଷା କାରଣରୁ ପନିପରିବା ଫସଲ ପଚିଯିବା ଭୟରେ ଚାଷୀମାନେ ତୋଳି କମ୍ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ଅଭିଯୋଗ ହୋଇଛି। ସେହିପରି ଚାଷୀ ନରେନ୍ଦ୍ର ଧଳ, ହିମାଂଶୁ ବିଶ୍ୱାଳ, ଚିତ୍ତରଞ୍ଜନ ମଲ୍ଲିକ ପ୍ରମୁଖ କୁହିଛନ୍ତି, ପଟ୍ଟାମୁଣ୍ଡାଇ ବ୍ଲକ, ପୌରାଞ୍ଚଳ ଓ ଧୋୟାଞ୍ଚଳରେ ବହୁଳ ଭାବେ ପନିପରିବା ଫସଲ କରାଯାଇଥାଏ। ଏହି ଫସଲକୁ ପଟ୍ଟାମୁଣ୍ଡାଇ ସମେତ ଆଖପାଖ ବିଭିନ୍ନ ହାଟ ବଜାରରେ ବିକ୍ରି କରାଯାଇଥାଏ। ଚାଷୀମାନେ ବହୁ କଷ୍ଟରେ ଚଢ଼ା ଦାମରେ ବିହନ, ଚାରା, ପୋକମରା ଔଷଧ, ରାସାୟନିକ ସାର ବ୍ୟବହାର କରି ପନିପରିବା ଫସଲ କରିଥା’ନ୍ତି। ଏପରି କି ଜଳସେଚନ ସୁବିଧା ନ ଥିବାରୁ ଅଞ୍ଚଳରେ ତେଣ୍ଡାରେ ଜମିକୁ ଜଳସେଚିତ କରିବା ସହିତ ଫସଲ କରିଥା’ନ୍ତି। ହେଲେ ଶୀତଳଭଣ୍ଡାର ନ ଥିବାରୁ ଚାଷୀମାନେ ଉଚିତ ମୂଲ୍ୟରେ ପନିପରିବା ବିକ୍ରି କରିବାରୁ ବଞ୍ଚତ୍ତ ହେଉଛନ୍ତି। ଏଥିପାଇଁ କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇଠାରେ ୨ଟି ଶୀତଳଭଣ୍ଡାର ଖୋଲିବାକୁ କୃଷକମାନଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ହେଉଛି। ସୁଶାନ୍ତ ସାମଲ, ଭାସ୍କର ରାଉତ ପ୍ରମୁଖ କହିଛନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବିଗତ ବର୍ଷଗୁଡ଼ିକରେ ୧୮ହଜାର ୬୫ ହେକ୍ଟର ଜମିରେ ଧାନଚାଷ କରାଯାଉଥିଲା। କିନ୍ତୁ ଚଳିତବର୍ଷ ୧୧ହଜାର ୩ଶହ ହେକ୍ଟର ଜମିରେ ଧାନଚାଷ କରାଯାଇଛି। ଏହି ଅଞ୍ଚଳରେ ୧୬ଟି ସମବାୟ ସମିତିି କାର୍ଯ୍ୟ କରୁଛି। ମାର୍କଫେଡ, ଲାଇସେନ୍ସପ୍ରାପ୍ତ ଦୋକାନ ମାଧ୍ୟମରେ ସାର ଓ ଔଷଧ ଦିଆଯାଉଛି। ଜଳସେଚନ ଓ ନିଷ୍କାସନ ପାଇଁ ଜଳସମ୍ପଦ ବିଭାଗ କାର୍ଯ୍ୟ କରୁଛି। ମାତ୍ର ଠିକ୍ ଭାବେ ଜଳ ପରିଚାଳନା ହୋଇ ପାରୁ ନ ଥିବା ବେଳେ ଜଳ ନିଷ୍କାସନ ହୋଇପାରୁନି । ସମବାୟ ସମିତି କର୍ତ୍ତୃପକ୍ଷଙ୍କ ମନମାନି ଓ ଧାନମଣ୍ଡି ଖୋଲିବାରେ ଅହେତୁକ ବିଳମ୍ବ ଯୋଗୁ କୃଷକମାନେ ନିଜର ଉତ୍ପାଦିତ ଧାନ ଫସଲକୁ ବେପାରୀଙ୍କୁ ଦେଇ ଦାଦନ ଖଟିବାକୁ ବାହାରି ଗଲେଣି। ସମିତିର ସମ୍ପାଦକ ଓ ଧାନ କ୍ରୟ ଦାୟିତ୍ୱ ନେଇଥିବା ମିଲରମାନଙ୍କ ଅସାଧୁ ମେଣ୍ଟ ଯୋଗୁ ଧାନର ଅଭାବୀ ବିକ୍ରି ହେଉଛି ବୋଲି କୃଷକମାନଙ୍କ ମହଲରେ ଚର୍ଚ୍ଚା ଜୋର ଧରିଛି।