ରଘୁନାଥପୁର,୧୧।୩(ଡି.ଏନ୍.ଏ.): ରଘୁନାଥପୁର ବ୍ଲକ ଜଗନ୍ନାଥପୁର କୃଷି ସେବା ସମବାୟ ସମିତି ପକ୍ଷରୁ ଖୋଲା ଯାଇଥିବା ମଣ୍ଡିରେ ଅଢ଼େଇ କିଲୋ ଧାନ କାଟକୁ ଚାଷୀମାନେ ବିରୋଧ କରିଛନ୍ତି। ଏ ସମ୍ପର୍କରେ ସମିତି ସମ୍ପାଦକ କପିଳେନ୍ଦ୍ର ପରିଡା ନୀରବ ରହୁଛନ୍ତି। ଏହି ଧାନ କାଟ ନ ଦେଲେ ମିଲର ଧାନ ଉଠାଇବ ନାହିଁ କି ଟ୍ରକ ପଠାଇବ ନାହିଁ ବୋଲି ଚାଷୀଙ୍କୁ କୁହାଯାଉଥିବା ପୂର୍ବତନ ଜିଲା ପରିଷଦ ସଭ୍ୟ ଅଶୋକ କୁମାର ମହାରଣା କହିଛନ୍ତି। ଗତ ୭ ତାରିଖରେ ଧାନ କାଟକୁ ବିରୋଧ ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ୮ ତାରିଖରେ ଟୋକନ ଦିଆଯାଇଥିବା ଚାଷୀଙ୍କଠାରୁ ଶୁକ୍ରବାର ଧାନ କ୍ରୟ କରାଯାଇଛି। ପୂର୍ବରୁ ମିଲର ୩ କିଲୋ ଧାନ କାଟିବା ନେଇ କୁହାଯାଉଥିବାବେଳେ ଏହାକୁ ଅଢେଇ କିଲୋରେ ସୀମିତ ରଖା ଯାଇଥିବାର କ୍ରୟ କମିଟି ସଦସ୍ୟ ଦିଲୀପ ପରିଜା ପ୍ରକାଶ କରିଛନ୍ତି। ସେହିପରି ମଣ୍ଡିରେ ଚାଷୀଙ୍କ ପାଇଁ ପାନୀୟଜଳ ଓ ଛାଇରୁ ରକ୍ଷା ପାଇବା ପାଇଁ ଟେଣ୍ଟ ଓ ଖରା କାକରରେ ରହୁଥିବା ଧାନର ସୁରକ୍ଷା ପାଇଁ ପାଲ ବ୍ୟବସ୍ଥା ନିମନ୍ତେ କୁଇଣ୍ଟାଲ ରେଟର ୨ ପ୍ରତିଶତ ଖର୍ଚ୍ଚ ହେବା ପାଇଁ ନିୟମ ଥିବାବେଳେ ଏହାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସିଏସ୍ଓ ସୁଜାତା ମିଶ୍ର କହିଛନ୍ତି, ଧାନକାଟ ପାଇଁ କୌଣସି ନିୟମ ନାହିଁ। ମଣ୍ଡିରେ ଚାଷୀଙ୍କ ଧାନର ସୁରକ୍ଷା ବ୍ୟବସ୍ଥା ଆରଏମସି ଉପରେ ନ୍ୟସ୍ତ କରାଯାଇଛି।