ନୂଆଦିଲ୍ଲୀ,୨୧।୭: କୃଷି ଆଇନ ବିରୋଧରେ ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ଚାଷୀଙ୍କୁ ଦିଲ୍ଲୀ ପୋଲିସ ବୁଧବାର ଅନୁମତି ଦେଇଛି। କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀମାନେ ମୌସୁମୀ ଅଧିବେଶନ ସମୟରେ ପାର୍ଲାମେଣ୍ଟ ଆଗରେ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଥିଲେ। ବିକ୍ଷୋଭ ପାଇଁ ଅନ୍ୟ ସ୍ଥାନ ବାଛିବା ନିମନ୍ତେ ପୋଲିସ ସେମାନଙ୍କୁ ଅନୁରୋଧ କରିଥିଲା। ମଙ୍ଗଳବାର ପୋଲିସ ସହ ଚାଷୀ ନେତାଙ୍କ ବୈଠକ ପରେ ଗୁରୁବାରଠାରୁ ଜନ୍ତରମନ୍ତରରେ ବିକ୍ଷୋଭ କରିବାକୁ ନିଷ୍ପତ୍ତି ହୋଇଛି। ପୋଲିସ କହିବା ଅନୁଯାୟୀ ସିଙ୍ଘୁ ସୀମାରୁ ପୋଲିସ ସୁରକ୍ଷାରେ ଚାଷୀମାନଙ୍କୁ ବସ୍ରେ ଜନ୍ତରମନ୍ତର ଅଣାଯିବ। ପ୍ରତିଦିନ ୨୦୦ ଚାଷୀ ଉକ୍ତ କିଷାନ ପାର୍ଲାମେଣ୍ଟରେ ସାମିଲ ହେବେ ବୋଲି କୃଷକ ସଂଘ ପକ୍ଷରୁ କୁହାଯାଇଛି।