ନୂଆଦିଲ୍ଲୀ,୨୭ ।୧୨: କୃଷି ଆଇନକୁ ଫେରାଇ ନେବାକୁ ଦାବି କରି ଦିଲ୍ଲୀ-ହରିୟଣାର ସିନ୍ଧୁ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ରବିବାର ଏହି ଆନ୍ଦୋଳନ ୩୨ ଦିନରେ ପହଞ୍ଚିଥିବା ବେଳେ କୃଷକମାନେ ସେମାନଙ୍କ ଜିଦରେ ଅଟଳ ରହିଛନ୍ତି । ଦିଲ୍ଲୀ-ହରିୟାଣା ଓ ଉତ୍ତର ପ୍ରଦେଶ ସୀମାରେ କୃଷକଙ୍କ ଆନ୍ଦୋଳନ ଯୋଗୁ ଦିଲ୍ଲୀ-ଏନ୍ସିଆର୍ ଲୋକେ ଗମନାଗମନରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ କେନ୍ଦ୍ର ସରକାର ଓ କୃଷକ ନେତାଙ୍କ ମଧ୍ୟରେ ପୁଣିଥରେ ୨୯ ଡିସେମ୍ବରରେ କଥାବାର୍ତ୍ତା ହେବାକୁ ସ୍ଥିର କରାଯାଇଛି । ଏଥିରେ କୃଷକମାନେ ୪ଟି ମୁଖ୍ୟ ଦାବି ରଖିଥିବା କୁହାଯାଉଛି । ଅନ୍ୟପଟେ କୃଷକ ନେତା ଡା. ଦର୍ଶନପାଲ ସିଂ କହିଛନ୍ତି ୨୭-୨୮ ଡିସେମ୍ବରରେ ଗୁରୁ ଗୋବିନ୍ଦ ସିଂଙ୍କ ଛୋଟ ସାହିବଜାଦେଙ୍କ ଶହୀଦ ଦିବସ ପାଳନ କରାଯିବ । ୩୦ ଡିସେମ୍ବରକୁ କୃଷକ ଏକ ଟ୍ରାକ୍ଟର ରାଲି ବାହାର କରିବେ । ସିନ୍ଧୁ ସୀମାରୁ ଟିକରି ଓ ଶାହାଜାହାପୁର ପର୍ଯ୍ୟନ୍ତ କୃଷକ ଏହି ରାଲି କରିବେ । କୃଷକମାନେ ୧ ଜାନୁୟାରୀରେ ଦିଲ୍ଲୀ ଓ ହରିୟାଣାବାସୀଙ୍କୁ ସେମାନଙ୍କ ସହ ନୂଆବର୍ଷ ପାଳନ କରିବାକୁ ନିମନ୍ତ୍ରଣ ଦେଇଛନ୍ତି ।