Categories: ଜାତୀୟ

କୃଷକ ଆନ୍ଦୋଳନ: ଗାଜିପୁର ସୀମାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୯ ।୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ପ୍ରାୟ ୨ ମାସରୁୁ ଊର୍ଦ୍ଧ୍ୱ ସମୟ ହେବ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନରେ ବସିଛନ୍ତି ବିଭିନ୍ନ ରାଜ୍ୟର କୃଷକ । ଏମାନଙ୍କର ଦାବି ନୂଆ କୃଷି ଆଇନକୁ ସରକାର ଫେରାଇ ନିଅନ୍ତୁ । ହେଲେ ସରକାର ଏଥିରେ ରାଜି ନ ଥିବାରୁ ଏହାରି ଭିତରେ ନାନା ଘଟଣା ଓ ଅଘଟଣା ଘଟି ଗଲାଣି । ଏବେ କୃଷକ ନେତା ରାକେଶ ଟିକୈତଙ୍କ ଲୁହ କୃଷକ ଆନ୍ଦୋଳନରେ ଘିଅ ଢାଳିବା ଭଳି କାମ କରିଛି । ଆନ୍ଦୋଳନକୁ ଆହୁରି ତିବ୍ର କରିବା ଲାଗି ଶୁକ୍ରବାର ପଶ୍ଚିମ ଉତ୍ତର ପ୍ରଦେଶ ଓ ହରିୟାଣାର ବିଭିନ୍ନ ସ୍ଥାନରୁ କୃଷକମାନେ ଗାଜିପୁର ସୀମାରେ ପହଞ୍ଚିବା ଆରମ୍ଭ କରି ଦେଇଛନ୍ତି । ଅନ୍ୟପଟେ ଶୁକ୍ରବାର ମୁଜାଫରନଗରରେ କୃଷକଙ୍କ ମହାପଞ୍ଚାୟତର ଆୟୋଜନ କରାଯାଇଛି । ଗାଜିପୁର ସୀାମରେ ପହଞ୍ଚି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ର ଅରବିନ୍ଦ ଯାଦବ ଆନ୍ଦୋଳନକୁ ସମର୍ଥନ କରିଛନ୍ତି । ଏହାସହ ନୂଆ କୃଷି ଆଇନକୁ ଫେରାଇ ନେବାକୁ ରାଷ୍ଟ୍ରପତିଙ୍କୁ ପତ୍ର ମଧ୍ୟ ଲେଖିଛନ୍ତି । ସେହିପରି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ବି ଗାଜିପୁର ସୀମାରେ ପହଞ୍ଚିଛନ୍ତି । ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କୃଷକ ନେତା ରାକେଶ ଟିକୈତଙ୍କୁ ସମର୍ଥନ କରୁଥିବା ବେଳେ ଗାଜିପୁର ସୀମାରେ ସେମାନଙ୍କ ପାଇଁ ଯେଉଁ ପାଣି ଓ ବିଜୁଳି ବ୍ୟବସ୍ଥା କରାଯାଇଛି ତାହା ଠିକ୍ ଅଛି କି ନା ତାହା ଦେଖିବା ପାଇଁ ସିସୋଡିଆ ସେଠାରେ ପହଞ୍ଚିଥିବା ପ୍ରକାଶ କରିଛନ୍ତି ।

Share