ଛତ୍ରପୁର,୪ା୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଗତ ଖରିଫ ଋତୁର ମରୁଡ଼ି ପରିସ୍ଥିତିର ପୁନର୍ବିଚାର ଲାଗି ସୋମବାର ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଜିଲା ସଭାପତି ପି. ହରିକୃଷ୍ଣ ରେଡ୍ଡୀଙ୍କ ନେତୃତ୍ୱରେ ବହୁ ଚାଷୀ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପରେ ଏକ ପ୍ରତିନିଧି ଦଳ ପକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ଜିଲାରେ ଗତ ଖରିଫ ଋତୁରେ ବର୍ଷାର ଅନିୟମିତତା ଅନାବୃଷ୍ଟି ଯୋଗୁ ୧ ଲକ୍ଷ ୩୦ ହଜାର ଏକରରୁ ଊର୍ଦ୍ଧ୍ୱ ଚାଷ ଜମି ପାଣି ଅଭାବରୁ ପୋଡ଼ି ଜଳିଯାଇଥିବା ସେମାନେ ଜିଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଘୋଡ଼ାହାଡ଼, ବାଘ ଲଟି, ଡହ, ସାଳିଆ, ମାରିଡ଼ି ଭଳି ଜଳ ପ୍ରକଳ୍ପ ଶୁଖିଲା ପଡ଼ିଛି। ଯାହା ଫଳରେ ବୁଗୁଡା, କନିଷୀ, କୋଦଳା,ଖଲ୍ଲିକୋଟ, ଗଞ୍ଜାମ, ସୋରଡ଼ା ଆଦି ତହସିଲର ୪୦ ଭାଗରୁ ଊର୍ଦ୍ଧ୍ୱ ଜମି ଜଳ ନ ପାଇ ନଷ୍ଟ ହୋଇଯାଇଥିବାରୁ ମରୁଡ଼ି ପରିସ୍ଥିତିର ପୁନର୍ବିଚାର ଲାଗି ସେମାନେ ସ୍ମାରକପତ୍ରରେ ଦର୍ଶାଇଛନ୍ତି। ଏହି ସ୍ମାରକପତ୍ର ପ୍ରଦାନ ବେଳେ ଉପସଭାପତି କୈଳାସ ଷଡ଼ଙ୍ଗୀ, ସମ୍ପାଦକ ଅଜୟ ଗୌଡ଼ଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ।