Advertisement

ଲୋ-ଭୋଲଟେଜ, ବିଦ୍ୟୁତ୍‌ କାଟ ପ୍ରତିବାଦରେ ୨୭ ଘଣ୍ଟା ହେଲା ଧାରଣାରେ ଚାଷୀ

ନବରଙ୍ଗପୁର,୩୧।୩(ସଦାଶିବ ପ୍ରହରାଜ): ରାଜ୍ୟରେ ଜାରି ରହିଛି ହିଟଓ୍ବେଭ। କିଛି ଦିନ ହେଲା ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଛି। ଅସମ୍ଭାଳ ତାତି ସାଙ୍ଗକୁ ଗୁଳୁଗୁଳିରେ ଲୋକେ ଅତିଷ୍ଟ ହୋଇପଡିଥିବା ବେଳେ ଲୋ-ଭୋଲଟେଜ ସହ ବାରମ୍ବାର ବିଦ୍ୟୁତ୍‌ କାଟ ସମସ୍ୟାକୁ ଆହୁରି ଦ୍ୱିଗୁଣିତ କରିଦେଇଛି। ଏନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଦୁଇଦିନ ହେଲା ରାଇଘର ଅଞ୍ଚଳର ଚାଷୀ ଏବଂ ଜନସାଧାରଣ ନବରଙ୍ଗପୁର ଜିଲା ରାଇଘର ବ୍ଲକ ସରଗୁଲି ଛକରେ ଭାରତମାଳା ରାସ୍ତା ଅବରୋଧ କରି ଧାରଣାରେ ବସିଛନ୍ତି।

ଅନ୍ୟପକ୍ଷେ ରାଇଘର ବ୍ଲକ ଏବଂ ୨୬ ପଞ୍ଚାୟତରେ ରବିବାର ଦିନ ଦ୍ବିପ୍ରହରରୁ ବିଜୁଳି ଉଭାନ ହୋଇଯାଇଛି। ଖରାଦିନରେ ଅସହ୍ୟ ଗରମ ଯୋଗୁ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ରାତିରେ ଅନ୍ଦାରେ କିପରି ରହିବେ ତାକୁ ନେଇ ଅଞ୍ଚଳବାସୀ ଚିନ୍ତାରେ ପଡିଛନ୍ତି।

ରବିବାର ଦିନ ତମାମ ରାଇଘର ତହସିଲଦାର ମୌସମୀ ସଜ୍ଜନ, BDO ଲକ୍ଷ୍ମୀ ସାଗର ମାଝୀ, ପୋଲିସ SDPO ଆନ୍ଦୋଳନକାରୀଙ୍କ ଆଲୋଚନା କରିଥିଲେ। ହେଲେ କୌଣସି ନିଷ୍କର୍ସ ବାହାରିପାରି ନାହିଁ। ହେଲେ ବିଦ୍ୟୁତ୍‌ ବିଭାଗ ଅଧିକାରୀ, ଘଟଣାସ୍ଥଳକୁ ଆସି ନାହାଁନ୍ତି। ଫଳରେ ସସସ୍ୟାର ସମାଧାନ ବାହାରି ପାରୁ ନାହିଁ।

ଅନ୍ୟପକ୍ଷେ ବିଦ୍ୟୁତ୍‌ ବିଭାଗ କର୍ମଚାରୀମାନେ ଆନ୍ଦୋଳନକାରୀଙ୍କ ଭୟରେ ବିଦ୍ୟୁତ୍‌ ମରାମତି କାମରେ ବାହାରକୁ ବାହାରୁ ନ ଥିବା ଜଣାପଡିଛି। ସୂଚନା ଯୋଗ୍ୟ, ଅଞ୍ଚଳର ବିଦ୍ୟୁତ୍‌ ସମସ୍ୟାକୁ ନେଇ ଗତ ୨୦ତାରିଖରେ ଅଞ୍ଚଳବାସୀ ଦୁଇ ଦିନ ଧରି ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ। ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ୟାର ସାମଧାନ କରିବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା ସମସ୍ୟାର ସାମଧାନ ହୋଇପାରି ନାହିଁ। ଫଳରେ ଚାଷୀ ଏବଂ ଜନସାଧାରଣ ଅସନ୍ତୋଷ ପ୍ରକାଶ କରି ପୁଣି ରାଜରାସ୍ତାକୁ ଓହ୍ଲାଇଛନ୍ତି।

ସମସ୍ୟାର ସମାଧାନ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ଘଟଣାକୁ ନେଇ ବିଦ୍ୟୁତ୍‌ ବିଭାଗ ଉପଖଣ୍ଡ ଅଧିକାରୀ ସ୍ବରୂପ କୁମାର ପାତ୍ରଙ୍କୁ ପଚାରିବାରୁ ସମସ୍ୟା ଦୀର୍ଘ ଦିନର, ତେଣୁ ଫୁଲ-ଭୋଲ୍ଟେଜ ଆଣିବା ପାଇଁ କାମ ଚାଲିଛି। ତୁରନ୍ତ ସମସ୍ୟା ସମାଧାନ ହୋଇଯିବ ବୋଲି ସେ କହିଛନ୍ତି।

Share