Categories: ଜାତୀୟ

କୃଷକଙ୍କ ଦାବି: ମୋଦି ଆମ କଥା ଶୁଣନ୍ତୁ

ନୂଆଦିଲ୍ଲୀ,୧୪।୧୨: ନୂଆ କୃଷି ଆଇନକୁ ବିରୋଧ କରି ଗତ ୧୯ ଦିନ ହେଲା ଦିଲ୍ଲୀରେ କୃଷକ ଆନ୍ଦୋଳନ ଜାରି ରହିଛି। ଦିଲ୍ଲୀର ବିଭିନ୍ନ ସୀମାରେ ଡେରା ପକାଇଥିବା ଲକ୍ଷଲକ୍ଷ କୃଷକ ଆଜି ସିଂଘୁ ସୀମାରେ ପୂର୍ବାହ୍ନ ୮ଟାରୁ ଅପରାହ୍ନ ୫ଟା ଯାଏ ଅନଶନରେ ବସି ରହିବେ। ବିଭିନ୍ନ ସ୍ଥାନରେ କୃଷକମାନେ ଉପବାସ ଆରମ୍ଭ କରିଛନ୍ତି। ନୂତନ କୃଷି ଆଇନରେ କେତେକ ସଂଶୋଧନ ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିବା ସତ୍ତ୍ବେ କୃଷକ ସଂଗଠନଗୁ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି। କୃଷକମାନେ ଦାବି କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହି ବୈଠକରେ ବସନ୍ତୁ। ଯାହାଫଳରେ ଚାଷୀଙ୍କ ସମସ୍ୟା ଶୁଣାଯିବ ଏବଂ ଆଇନ ସିଧାସଳଖ ପ୍ରତ୍ୟାହାର ହେବ। ସରକାର କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ନ କରିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି କୃଷକ ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି। ଏବେ ହଜାର ହଜାର ସଂଖ୍ୟାରେ କୃଷକ ଦିଲ୍ଲୀ ମଧ୍ୟକୁ ପ୍ରବେଶ କରୁଥିବାରୁ ରାଜସ୍ଥାନ ଓ ହରିୟାଣା ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି। ଦିଲ୍ଲୀ-ଜୟପୁର ଜାତୀୟ ରାଜପଥକୁ ଚାଷୀମାନେ ଅବରୋଧ କରି ରଖିଛନ୍ତି। ଦିଲ୍ଲୀକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ପୁଲିସ ବ୍ୟାରିକେଡ ର୍ନିମାଣ କରି ପରିସ୍ଥିତି ଉପରେ କଡାକଡି ନଜର ରଖିଛି।

Share