Categories: ଜାତୀୟ

ପାର୍ଲାମେଣ୍ଟ ବାହାରେ ବିକ୍ଷୋଭ କରିବେ ଚାଷୀ

ନୂଆଦିଲ୍ଲୀ, ୫।୭ (ପି.ଟି.): ଜୁଲାଇ ୧୯ରୁ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ଏହି ସମୟରେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ୨୦୦ ଚାଷୀ ପ୍ରତିଦିନ ପାର୍ଲାମେଣ୍ଟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବେ। ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ପକ୍ଷରୁ ରବିବାର ଏହା ଘୋଷଣା କରାଯାଇଛି। ୪୦ଟି କୃଷକ ୟୁନିୟନର ଶୀର୍ଷ ସଂଗଠନ ଏସ୍‌କେଏମ୍‌ ପକ୍ଷରୁ ନୂଆଦିଲ୍ଲୀରେ ଏକ ଖବରଦାତା ସମ୍ମିଳନୀ କରାଯାଇଥିଲା। ପାର୍ଲାମେଣ୍ଟ ଭିତରେ କୃଷି ଆଇନକୁ ବିରୋଧ କରିବା ଲାଗି ଅଧିବେଶନର ଦୁଇଦିନ ପୂର୍ବରୁ ସମସ୍ତ ବିରୋଧୀ ଦଳ ଏମ୍‌ପିମାନଙ୍କୁ ଚେତାବନୀ ପତ୍ର ଦିଆଯିବ। ଚାଷୀମାନେ ପାର୍ଲାମେଣ୍ଟ ବାହାରେ ବିକ୍ଷୋଭ କରୁଥିବାବେଳେ ଗୃହରେ ଏମ୍‌ପିମାନେ ପ୍ରତ୍ୟହ କୃଷି ଆଇନ ପ୍ରସଙ୍ଗ ଉଠାଇବେ। ସରକାର ଏହାର ସମାଧାନ ନ କରିବା ପର୍ଯ୍ୟନ୍ତ ଅଧିବେଶନ ଚଳାଇ ନ ଦେବା ଲାଗି ବିରୋଧୀ ଦଳଗୁଡ଼ିକୁ କୁହାଯିବ ବୋଲି କୃଷକ ନେତା ବଲବୀର ସିଂ ରାଜଓ୍ବୋଲ କହିଛନ୍ତି। ସରକାର ଆମ ଦାବି ନ ଶୁଣିବା ପର୍ଯ୍ୟନ୍ତ ବିକ୍ଷୋଭ ଜାରି ରହିବ। ଏହି ବିକ୍ଷୋଭରେ ପ୍ରତି ଚାଷୀ ୟୁନିୟନରୁ ୫ ଜଣ ଲେଖାଏ ଯୋଗଦେବେ। ଏହା ବ୍ୟତୀତ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଏସ୍‌କେଏମ୍‌ ପକ୍ଷରୁ ଜୁଲାଇ ୮ରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ଲାଗି ଡାକରା ଦିଆଯାଇଛି। ଏହି ବିକ୍ଷୋଭରେ ଏଲ୍‌ପିଜି ସିଲିଣ୍ଡରକୁ ମଧ୍ୟ ସାମିଲ କରିବା ଲାଗି ରାଜଓ୍ବୋଲ କହିଛନ୍ତି।

Share