Categories: ଜାତୀୟ

ନୂଆ କୃଷି ଆଇନକୁ ରଦ୍ଦ ନ କଲେ ଦିଲ୍ଲୀକୁ ବାଟ ଛାଡ଼ିବୁ ନାହିଁ , ଚେତାବନୀ ଦେଲା କୃଷକ ସଂଘ

ନୂଆଦିଲ୍ଲୀ,୨ା୧୨- କୃଷି ଆଇନକୁ ବିରୋଧ କରୁଥିବା ଅନ୍ନଦାତାମାନେ କେନ୍ଦ୍ର ସରକାରଙ୍କୁ ବୁଧବାର ଦେଇଛନ୍ତି ଚେତାବନୀ। ସରକାର ବିଶେଷ ବୈଠକ ଡକାଇ ଏହି ବିବାଦୀୟ ଆଇନକୁ ରଦ୍ଦ କରନ୍ତୁ। ନ ହେଲେ ଆମେ ଦିଲ୍ଲୀକୁ ବାଟ ଛାଡ଼ିବୁ ନାହିଁ ବୋଲି ରୋକଠୋକ୍‌ ଶୁଣାଇ ଦେଇଛନ୍ତି। ଆଉ ପଞ୍ଜାବ କୃଷକ ନେତାଙ୍କ ଭଳି ସମଗ୍ର ଦେଶର କୃଷକ ନେତାଙ୍କୁ ଆଲୋଚନା ପାଇଁ ଡକାନ୍ତୁ ବୋଲି କହିଛନ୍ତି କ୍ରାନ୍ତିକାରୀ କିଷାନ ସଂଘର ପଞ୍ଜାବ ଶାଖା ମୁଖ୍ୟ ପ୍ରଫେସର ଦର୍ଶନ ପାଲ।

ଆମ ବୈଠକ ଶେଷ ହୋଇସାରିଛି। ନରେନ୍ଦ୍ର ମୋଦିଙ୍କ ସରକାର ପ୍ରଥମେ ପଞ୍ଜାବକୁ ଡକାଇ ଥିଲେ। ଆମ ସହ ଆଲୋଚନା ପାଇଁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଆମେ ପ୍ରତ୍ୟାଖ୍ୟାନ କରିଛୁ। କାରଣ ଆଲୋଚନାରେ କୃଷକଙ୍କୁ ମଧ୍ୟ ସାମିଲ କରାଯାଉ ବୋଲି ଆମର ଦାବି। ସରକାର ଭାବୁଥିଲେ, ଏହା କେବଳ ପଞ୍ଜାବ କୃଷକଙ୍କ ଆନ୍ଦୋଳନ । ସରକାର ଆମକୁ ଭାଗ ଭାଗ କରିବାକୁ ଚେଷ୍ଟା କରିଥିଲେ ବୋଲି ପ୍ରଫେସର ପାଲ କହିଛନ୍ତି।

ଆମେ କାହିଁକି ଏହି ଆଇନକୁ ବିରୋଧ କରୁଛୁ , ତାହା ଗୁରୁବାର ଲିଖିତ ଆକାରରେ ଦେବା ପାଇଁ ନିର୍ଣ୍ଣୟ ନେଇଛୁ । ଆମେ ଚାହୁଁଛୁ ୩ଟି ଆଇନକୁ ରଦ୍ଦ କରାଯାଉ, ନ ହେଲେ ତେଜିବ ଆନ୍ଦୋଳନ। ଦିଲ୍ଲୀ ବ୍ଲକ କରିଦେବୁ ବୋଲି ସେ କହିଛନ୍ତି।
ଆଉ ୫ ତାରିଖରେ ପୂରା ଦେଶରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କୂଶ ପୁତ୍ତଳିକା ଦାହ କରିବାକୁ ଆହ୍ବାନ ଦିଆଯାଇଛି।

Share