Categories: ଜାତୀୟ

୧୮ରେ ଚାଷୀଙ୍କ ରେଳରୋକୋ

ନୂଆଦିଲ୍ଲୀ, ୧୧।୨(ପି.ଟି.): କୃଷି ଆଇନ ବିରୋଧରେ ଆନ୍ଦୋଳନକୁ ବଢ଼ାଇବା ପାଇଁ କୃଷକ ସଂଗଠନଗୁଡ଼ିକ ଫେବୃୟାରୀ ୧୮ରେ ଦେଶବ୍ୟାପୀ ୪ ଘଣ୍ଟିଆ ରେଳରୋକୋ ପାଇଁ ଡାକରା ଦେଇଛନ୍ତି। ଏଥିସହିତ ୧୨ ତାରିଖରୁ ରାଜସ୍ଥାନରେ ଟୋଲ୍‌ ଆଦାୟ କରିବାକୁ ଦିଆଯିବନି ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ବିବୃତି ଅନୁଯାୟୀ ୧୮ ତାରିଖ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରେଳ ଚଳାଚଳକୁ ବନ୍ଦ କରାଯିବ। ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଗତ ୬ ତାରିଖରେ ଦେଶବ୍ୟାପୀ ୩ ଘଣ୍ଟିଆ ଚକାଜାମ୍‌ ଆନ୍ଦୋଳନ କରାଯାଇଥିଲା।
କେନ୍ଦ୍ରର ୩ କୃଷି ଆଇନ ବିରୋଧରେ ହଜାର ହଜାର ଚାଷୀ ଦିଲ୍ଲୀ ସୀମାରେ ଦୀର୍ଘ ୭୭ ଦିନ ହେଲା ଆନ୍ଦୋଳନ ଚଳାଇଛନ୍ତି। କୃଷି ଆଇନ ଏମ୍‌ଏସପି ବ୍ୟବସ୍ଥାକୁ ଦୁର୍ବଳ କରିବା ସହ ମଣ୍ଡି ବ୍ୟବସ୍ଥାକୁ ଉଚ୍ଛେଦ କରିଦେବ ବୋଲି ସେମାନେ ଅଭିଯୋଗ କରୁଛନ୍ତି। ତେଣୁ ଆଇନ ପ୍ରତ୍ୟାହାର ପାଇଁ ସରକାରଙ୍କ ଉପରେ ଚାପ ପକାଇବା ନିମନ୍ତେ କୃଷକ ସଂଗଠନଗୁଡ଼ିକ ଦେଶବ୍ୟାପୀ ପଞ୍ଚାୟତ ସ୍ତରରେ ସମାବେଶ ଲାଗି ଯୋଜନା କରୁଥିବା ଜଣାପଡ଼ିଛି। ପ୍ରଥମେ ପଶ୍ଚିମ ଉତ୍ତରପ୍ରଦେଶ ଏବଂ ହରିୟାଣାରେ ଏଭଳି ସମାବେଶ ପରେ ଅନ୍ୟ ରାଜ୍ୟଗୁଡ଼ିକରେ ସମାବେଶ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ବ୍ୟତୀତ ଟୋଲ୍‌ ଗେଟ୍‌ରେ ଗାଡ଼ିଗୁଡ଼ିକୁ ବିନା ଶୁଳ୍କରେ ଛାଡ଼ିବା ଏବଂ ଅମ୍ବାନୀ-ଆଦାନୀ କମ୍ପାନୀର ଉତ୍ପାଦଗୁଡ଼ିକୁ ବର୍ଜନ କରିବା ଯୋଜନା ରହିଛି।
ଏସ୍‌ଆଇଟି ତଦନ୍ତ ଲାଗି ଆବେଦନ

ସାଧାରଣତନ୍ତ୍ର ଦିବସରେ ଆନ୍ଦୋଳନରତ କୃଷକଙ୍କ ଟ୍ରାକ୍ଟର ରାଲିବେଳେ କେନ୍ଦ୍ରୀୟ ଦିଲ୍ଲୀର ଆଇଟିଓଠାରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଥିଲା। ଅଦାଲତଙ୍କ ତତ୍ତ୍ୱାବଧାନରେ ଏହାର ଏସ୍‌ଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ଲାଗି ମୃତକଙ୍କ ପରିବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମୃତ ନଭ୍ରିତ୍‌ ସିଂଙ୍କ ଅଜା ଦାଏର କରିଥିବା ପିଟିଶନର ଶୁଣାଣି ଗୁରୁବାର ହେବ। ନାତି ମୃତ୍ୟୁ ପଛର ପ୍ରକୃତ ସତ୍ୟ ଜାଣିବା ଅଧିକାର ତାଙ୍କର ରହିଛି। ଏଥିସହିତ ଏହାର ଉପଯୁକ୍ତ ତଦନ୍ତ କରାଯିବାକୁ ସେ ଦାବି କରିଛନ୍ତି। ପୋଲିସ କହିବା ଅନୁଯାୟୀ, ଆଇଟିଓଠାରେ ଟ୍ରାକ୍ଟର ଓଲଟି ପଡ଼ିବାରୁ ନଭ୍ରିତ୍‌ଙ୍କର ମୃତ୍ୟୁ ଘଟିଥିଲା। ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ ଆକାଉଣ୍ଟ ଅନୁଯାୟୀ ପୋଲିସ ଗୁଳି ଚଳାଇବାରୁ ଯୁବକ ଜଣକ ଟ୍ରାକ୍ଟର ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଏହା ବ୍ୟାରିକେଡ଼ରେ ଧକ୍କା ଖାଇ ଓଲଟି ପଡ଼ିବାରୁ ଯୁବକଙ୍କ ମୃତ୍ୟୁ ଘଟିଥିବା ପିଟିଶନରେ ଉଲ୍ଲେଖ କରାଯାଇଛି।

Share