Categories: ଜାତୀୟ

କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିବା ପାଇଁ ଯନ୍ତରମନ୍ତରରେ ପହଞ୍ଚିଲେ ଚାଷୀ, ଭାଙ୍ଗିଲେ ବ୍ୟାରିକେଡ୍‌

ନୂଆଦିଲ୍ଲୀ,୮।୫: ଦେଶର କୁସ୍ତିଯୋଦ୍ଧାମାନେ ଦିଲ୍ଲୀର ଯନ୍ତରମନ୍ତରରେ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣି ଆନ୍ଦୋଳନ ଜାରି ରଖିଛନ୍ତି। ଏହି ସମୟରେ କୁସ୍ତିଯୋଦ୍ଧାଙ୍କୁ ସମର୍ଥନରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ଚାଷୀ ସୋମବାର ଦିଲ୍ଲୀର ଯନ୍ତରମନ୍ତରରେ ପହଞ୍ଚିଛନ୍ତି। ଏହି ସମୟରେ ଚାଷୀମାନେ ପୋଲିସ ଦ୍ୱାରା ଲାଗଯାଇଥିବା ମଧ୍ୟ ବ୍ୟାରିକେଡ୍‌ ଭାଙ୍ଗିଦେଇଛନ୍ତି। ଏହାର କେତେକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ କୃଷକମାନେ ବ୍ୟାରିକେଡ ଅତିକ୍ରମ କରିବା ସହ ବ୍ୟାରିକେଡ ଭାଙ୍ଗୁଥିବାର ଦେଖାଯାଉଛି।
ନୂଆଦିଲ୍ଲୀ ଡେପୁଟି କମିଶନରଙ୍କ କାର୍ଯ୍ୟାଳୟରୁ ଟୁଇଟ କରି କୁହାଯାଇଛି, କୃଷକମାନଙ୍କର ଏକ ଦଳ ଯନ୍ତରମନ୍ତରରେ ପହଞ୍ଚିଛନ୍ତି। ସେମାନେ ଧାରଣାସ୍ଥଳରେ ପହଞ୍ଚିବାକୁ ତତ୍ପର ଥିଲେ, ସେମାନଙ୍କ ମଧ୍ୟରୁ କେତେକ ବ୍ୟାରିକେଡ ଉପରକୁ ଚଢିଯାଇଥିଲେ। ଯେଉଁ କାରଣରୁ ବ୍ୟାରିକେଡ୍‌ ଭାଙ୍ଗିଯାଇଥିଲା। ଏଥି ସହିତ ଦିଲ୍ଲୀ ପୋଲିସ ଟୁଇଟ କରି ଲୋକଙ୍କୁ ମିଥ୍ୟା ଖବରରେ ବିଶ୍ୱାସ ନ କରିବାକୁ କହିଛି। ବିକ୍ଷୋଭକାରୀଙ୍କୁ ଯନ୍ତରମନ୍ତରରେ ସୁବିଧା ଦିଆଯାଉଛି। ସୁରକ୍ଷା ନିଶ୍ଚିତ କରିବାକୁ ଡିଏଫଏମ୍‌ଡି ମାଧ୍ୟମରେ ଏଣ୍ଟ୍ରି ଦିଆଯାଉଛି।

Share