Categories: ଜାତୀୟ

ଭାଜପାକୁ ୟୁପିରୁ ତଡ଼ିଦେବେ ଚାଷୀ, ଆଞ୍ଚଳିକ ଦଳ

ମୁଜାଫରନଗର,୧୨।୧୧: ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଚାଷୀଙ୍କ ଆନ୍ଦୋଳନ ଓ ଆଞ୍ଚଳିକ ଦଳ ଉତ୍ତରପ୍ରଦେଶରୁ ଭାଜପାକୁ ଓପାଡ଼ି ଫିଙ୍ଗିବେ। ଗୁରୁବାର ଏଭଳି ଦୃଢ଼ୋକ୍ତି ଦେଇଛନ୍ତି ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବ।

ୟୁପିର ମୁଜାଫରନଗର ଜିଲାରେ ଏକ ରାଲିକୁ ସମ୍ବୋଧନ ଦେଇ ଅଖିଳେଶ କହିଛନ୍ତି, ୨୦୨୨ରେ ନିଶ୍ଚିତ ପରିବର୍ତ୍ତନ ଆସିବ। ସ୍ଥାନୀୟ ନେତା ଓପି ରାଜଭର ଦଳରେ ଯୋଗଦେବା ପରେ ମୁଜାଫରନଗରବାସୀ ସମାଜବାଦୀ ପାର୍ଟିକୁ ନିରାଶ କରିବେ ନାହିଁ। ପୂର୍ବାଞ୍ଚଳରେ ଭାଜପା ପାଇଁ ଦ୍ୱାର ବନ୍ଦ ହୋଇସାରିଛି। ପଶ୍ଚିମ ୟୁପିରେ ମଧ୍ୟ ଭାଜପା ପଶି ପାରିବ ନାହିଁ। କାରଣ ସେଠାରେ ଚାଷୀମାନେ କୃଷି ଆଇନ ବିରୋଧରେ ଜୋରଦାର ଆନ୍ଦୋଳନ ଜାରି ରଖିଛନ୍ତି। ସେମାନେ କେମିତି ସରକାରକୁ ଫେରିବେ।

ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରରେ ଦୁଇ ବର୍ଷ ପାଇଁ ମନ୍ତ୍ରୀ ଥିଲେ ଏସ୍‌ବିଏସ୍‌ପି ନେତା ରାଜଭର। ୟୁପି ବିଧାନସଭାର ୪୦୩ ବିଧାୟକଙ୍କ ମଧ୍ୟରେ ଅଛନ୍ତି ଏସ୍‌ବିଏସ୍‌ପି ପାର୍ଟିର ୪ ସଦସ୍ୟ। ଏହି ଦଳର ବିଧାୟକଙ୍କ ସଂଖ୍ୟା କମ୍‌ ଥିଲେ ମଧ୍ୟ ୟୁପିର ପୂର୍ବାଞ୍ଚଳରେ ଏହାର ବେଶ ପ୍ରଭାବ ରହିଛି। ଏବେ ସପା ସହ ହାତ ମିଳାଇଛି ଏସ୍‌ବିଏସ୍‌ପି। କିନ୍ତୁ ଏପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ଭାଗ ବଣ୍ଟା ଛିଡ଼ି ନାହିଁ।

Share