ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଅବଧି ଅଗଷ୍ଟ ୨୫କୁ ବଢ଼ିଲା

ଭୁବନେଶ୍ୱର,୨୩।୮(ଅନିଲ ଦାସ): ଖରିଫ ଋତୁ ପାଇଁ ରାଜ୍ୟ ସରକାର ଚାଷୀ ପଞ୍ଜୀକରଣ ସମୟ ଆଉ ୩ ଦିନ ବୃଦ୍ଧି କରିଛନ୍ତି। ଅଗଷ୍ଟ ୨୫ ତାରିଖ ଯାଏ ଖରିଫ ଧାନ ବିକ୍ରି ପାଇଁ ଚାଷୀମାନେ ନିଜର ନାମ ପଞ୍ଜୀକରଣ କରିପାରିବେ। ଏନେଇ ମଙ୍ଗଳବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳ ଓ ସମସ୍ତ ସମବାୟ ସମିତି ରେଜିଷ୍ଟ୍ରାରଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି।
ଆସନ୍ତା ୩୧ ତାରିଖ ସୁଦ୍ଧା ଆବେଦନପତ୍ରଗୁଡ଼ିକୁ ଡିଜିଟାଇଜ କରିବାକୁ କୁହାଯାଇଛି। ସେହିପରି ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ଚାଷୀମାନଙ୍କର ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯିବ। ଚାଷୀ ପଞ୍ଜୀକରଣ ସମୟ ବୃଦ୍ଧି ସମ୍ପର୍କରେ ପ୍ରାଥମିକ ସମବାୟ ସମିତି, ମହିଳା ସ୍ବୟଂ ସହାୟକ ସଂସ୍ଥା, ପାଣିପଞ୍ଚାୟତ ଏବଂ ଲ୍ୟାମ୍ପସଗୁଡ଼ିକ ନିଜ ନିଜ ଜିଲାରେ ବ୍ୟାପକ ପ୍ରଚାର କରିବାକୁ ପରାମର୍ଶ ଦିଆଯାଇଛି।
ଏଠାରେ ସୂଚନାଯୋଗ୍ୟ, ଚଳିତ ଖରିଫ ଋତୁ ପାଇଁ ଚାଷୀ ପଞ୍ଜୀକରଣ ଅବଧି ଅଗଷ୍ଟ ୨୨ ତାରିଖ ଯାଏ ଧାର୍ଯ୍ୟ କରାଯାଇଥିଲା।

Share