ମାଲକାନଗିରି, ୨୮।୩ (ଡି.ଏନ.ଏ.): ଖରାଦିନ ଆସିଗଲେ ବଜାରରେ ବଢ଼ିଥାଏ ଖରାଦିନିଆ ଫଳର ଚାହିଦା। ଗରମରୁ ଆଶ୍ୱସ୍ତି ପାଇବା ପାଇଁ ଲୋକେ ଖୋଜିଥାନ୍ତି ତରଭୁଜ। ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ତରଭୁଜ ବେଶ୍ ପସନ୍ଦ। ମାଲକାନଗିରି ଜିଲାରେ ତରଭୁଜର ଉତ୍ପାଦନ ଅଧିକ ରହିଛି। ଜିଲାରେ ବହୁ ଚାଷୀ ଖରାଦିନେ ତରଭୁଜ ଚାଷ କରି ଗୁଜୁରାଣ ମେଣ୍ଟାଇଥାନ୍ତି। ଚଳିତ ବର୍ଷ ମଧ୍ୟ ଜିଲାରେ ତରଭୁଜ ଚାଷ ଭଲ ହୋଇଛି। ତେବେ ତରଭୁଜ ବିକ୍ରି ପାଇଁ ଉପଯୁକ୍ତ ବଜାରର ଆବଶ୍ୟକତା ଥିବା ବେଳେ ଏହା ମାଲକାନଗିରି ଜିଲାରେ ନାହିଁ। ଫଳରେ ତରଭୁଜ ବିକ୍ରି ନେଇ ଚାଷୀ ଚିନ୍ତାରେ ପଡିଛନ୍ତି। ଯେଉଁ ଆଶା ରଖି ତରଭୁଜ ଚାଷ କରିଥିଲେ ସେଥିରୁ ଆଶା ମୁତାବକ ରୋଜଗାର ମିଳୁନାହିଁ। ଲୋକେ ଏହାକୁ ଅତି କମ୍ ଦାମ୍ରେ କିଣୁଛନ୍ତି। ତରଭୁଜ ନଷ୍ଟ ହୋଇଯିବା ଆଶଙ୍କାରେ ଚାଷୀ ଏହାକୁ କମ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ ଜିଲାର ତରଭୁଜ ଉପରେ ଆନ୍ଧ୍ର, ଛତିଶଗଡ଼ ଓ ତେଲଙ୍ଗାନାର ନଜର ପଡିଛି। ବାହାର ରାଜ୍ୟର ବ୍ୟବସାୟୀ ଆସି ମାଲକାନଗିରି ଚାଷୀଙ୍କଠାରୁ ଭଲ ଓ ବଡ଼ ତରଭୁଜ ଅଳ୍ପ ଦରରେ କିଣି ନେଇ ବାହାରେ ଚଢ଼ା ଦରରେ ବିକ୍ରି କରୁଛନ୍ତି। ତରଭୁଜ ନଷ୍ଟ ହୋଇଯିବା ଆଶଙ୍କାରେ ଚାଷୀ କମ୍ ଦରରେ ଏହାକୁ ବିକି ଦେଉଛନ୍ତି। ତରଭୁଜ ଚାଷୀଙ୍କ ପାଇଁ ଉପଯୁକ୍ତ ଶୀତଳୀକରଣ କେନ୍ଦ୍ର ଓ ବାହାର ରାଜ୍ୟକୁ ରପ୍ତାନି ବ୍ୟବସ୍ଥା କରି ଉପଯୁକ୍ତ ବଜାର ସୃଷ୍ଟି କଲେ ଆମେ ତରଭୁଜ ଚାଷୀ ଉପକୃତ ହୋଇପାରନ୍ତୁ ବୋଲି କେତେକ ଚାଷୀ କହିଛନ୍ତି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।