ଛତ୍ରପୁର,୬।୩(ଡି.ଏନ୍.ଏ.): ଧାନ କିଣା ଯାଉ ନ ଥିବା ପ୍ରତିବାଦ କରି ଛତ୍ରପୁର ବ୍ଲକ ପୋଟଲାମପୁର ପଞ୍ଚାୟତର ଶହ ଶହ ଚାଷୀ ଶନିବାର ବ୍ରହ୍ମପୁର, ଛତ୍ରପୁର, ଗୋଲାବନ୍ଧକୁ ଯାଉଥିବା ପାନୀୟଜଳ ପ୍ରକଳ୍ପକୁ ବନ୍ଦ କରିବା ସହ ଛତ୍ରପୁର ତାରାତାରିଣୀ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ଧାନ କିଣା ନେଇ ସବୁଠି ଚାଷୀ ଅସନ୍ତୋଷ ଦେଖାଦେଉଛି । ଗୋଟିଏ ପଟେ ଟାର୍ଗେଟ ନ ଥିବାରୁ ଚାଷୀଙ୍କ ଧାନ କିଣା ଯାଉ ନଥିବା ବେଳେ ଅନ୍ୟପଟେ ଚାଷୀଙ୍କ ଟୋକନ ଅବଧି ଶେଷ ହେବାକୁ ବସିଛି । ଏହାକୁ ନେଇ ଚାଷୀମାନେ ଅନେକ ଥର ଆନ୍ଦୋଳନ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଧାନ କିଣା ଯାଇ ନାହଁ । ସେମାନଙ୍କ ଅଭିଯୋଗ ହେଲା, ଯଥାଶୀଘ୍ର ସେମାନଙ୍କ ଧାନ କିଣା ଯାଉ। ନଚେତ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏହି ପଞ୍ଚାୟତର ୫୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ଟୋକନ ଅବଧି ଶେଷ ହୋଇଯାଇଛି।