କ୍ଷତିପୂରଣ ପାଇଁ ରାସ୍ତାକୁ ଓହ୍ଲାଇଲେ ଚାଷୀ

ଅମ୍ବାଭୋନା,୩୦।୯(ଡି.ଏନ.ଏ): ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇଛି । ଚାଷୀମାନେ ଚାଷକାର୍ଯ୍ୟ ଆରମ୍ଭରୁ ବୀମା ପ୍ରିମିୟମ ଜମା କରିଛନ୍ତି । ହେଲେ ଫସଲକ୍ଷତିର ବର୍ଷେ ପରେ ମଧ୍ୟ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା କ୍ଷତିପୂରଣ ମିଳିପାରି ନାହିଁ । ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଚାଷୀମାନେ ନିଜ ହକ୍‌ ପାଇଁ ବିଲରେ କାମ ଛାଡ଼ି ଆନ୍ଦୋଳନ ମୁହାଁ ହୋଇଛନ୍ତି । ସ୍ଥାନୀୟ ବାରପାହାଡ଼ କୃଷକ ସଂଗଠନ ନେତୃତ୍ୱରେ ଶୁକ୍ରବାର ଚାଷୀମାନେ ବରଗଡ଼-ରାୟଗଡ଼ ମୁଖ୍ୟରାସ୍ତାର ସମ୍ବରଧରା ଛକଠାରେ ଟାୟାର ଜାଳି ରାସ୍ତା ଅବରୋଧ କରି ବୀମା କ୍ଷତିପୂରଣ ଦାବି କରିଥିଲେ ।

ଅମ୍ବାଭୋନା ତହସିଲଦାର ସୀତାରାମ ଭୋଇ, ଡେପୁଟି କଲେକ୍ଟର ଆରତୀ ଭୋଇ ଆନ୍ଦୋଳନସ୍ଥଳକୁ ପହଞ୍ଚି ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଚାଷୀମାନେ ଆନ୍ଦୋଳନରୁ ଓହରିଥିଲେ । ଅନ୍ୟପଟେ ରାସ୍ତାରୋକୋ ଯୋଗୁ ଦୀର୍ଘ ୮ଘଣ୍ଟା ଧରି ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ଯାତାୟାତା ବାଧାପ୍ରାପ୍ତ ହୋଇଥିଲା ।