ଚଣ୍ଡିଗଡ଼,୧୮।୫ (ପି.ଟି.): ଗହମ ଉପରେ ବୋନସ ସମେତ ବିଭିନ୍ନ ଦାବି ନେଇ ପଞ୍ଜାବର ଆମ୍ ଆଦ୍ମୀ ପାର୍ଟି ସରକାର ଉପରେ ଚାପ ପକାଇବାକୁ ରାଜଧାନୀ ଚଣ୍ଡିଗଡ଼ ଅଭିମୁଖେ ଯାଉଥିବା ଚାଷୀଙ୍କୁ ଅନୁମତି ନ ମିଳିବାରୁ ମଙ୍ଗଳବାର ସେମାନେ ଚଣ୍ଡିଗଡ଼-ମୋହାଲି ସୀମାରେ ଧାରଣାରେ ବସିଛନ୍ତି। ସେମାନେ ରାଜ୍ୟ ସରକାରଙ୍କ ସହ ମୁହାଁମୁହିଁ ହେବାକୁ ଚାହୁଁନାହାନ୍ତି। ତେବେ ସେମାନଙ୍କ ଦାବି ପୂରଣ ନ ହେଲେ ବ୍ୟାରିକେଡ୍ ଭାଙ୍ଗି ଚଣ୍ଡିଗଡ଼ ଅଭିମୁଖେ ଆଗେଇବେ ବୋଲି ଚାଷୀନେତା କହିଛନ୍ତି। କେନ୍ଦ୍ରର କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ବର୍ଷରୁ ଊର୍ଦ୍ଧ୍ୱ ସମୟ ଆନ୍ଦୋଳନ ଚାଲିଥିଲା। ଚଣ୍ଡିଗଡ଼ରେ ଅନିର୍ଦ୍ଦିଷ୍ଟ କାଳ ଆନ୍ଦୋଳନ ଚଳାଇବାକୁ ବିଭିନ୍ନ କୃଷକ ସଂଗଠନ ଆହ୍ବାନ ଦେଇଛନ୍ତି।