ସାର ପାଇଁ ଜିଲା କୃଷି କାର୍ଯ୍ୟାଳୟ ଘେରିଲେ ଚାଷୀ

ହରଭଙ୍ଗା, ୧୬ା୯(ଡି.ଏନ.‌ଏ.)  ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବାମଣ୍ଡା ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଓ ନାୟକପଡ ଗ୍ରାମର ଶତାଧିକ ଚାଷୀ ସାର ଯୋଗାଣ ଦାବିରେ ମଙ୍ଗଳବାର ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ସେମାନଙ୍କ କହିବା ଅନୁଯାଇ ବର୍ତ୍ତମାନ ଧାନ ଚାଷ ପାଇଁ ୟୁରିୟା ସାରର ଆବଶ୍ୟକତା ଥିଲେ ମଧ୍ୟ ସେବା ସମବାୟ ସମିତି ପକ୍ଷରୁ ଯୋଗାଇ ଦିଆଯାଇ ପାରୁନାହିଁ। ଏଥିଯୋଗୁ ଧାନଚାଷ ପ୍ରଭାବିତ ହେଉଛି। ୟୁରିୟା ସାର ପାଇଁ କିଛିଦିନ ତଳେ ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନେ ଧାରଣା ଦେଇଥିଲେ। ପ୍ରତିଶ୍ରୁତି ମିଆଦି ପୁରିଥିଲେ ମଧ୍ୟ ସାର ମିଳିଲା ନାହିଁ। ତେଣୁ ବାଧ୍ୟ ହୋଇ ସେମାନେ ଆଜି ଦ୍ୱିତୀୟ ଥର ଲାଗି ଧାରଣାରେ ବସିଛନ୍ତି। ଏ ନେଇ ହରଭଙ୍ଗା ବ୍ଲକ କୃଷି ଅଧିକାରୀ କୃଷ୍ଣଚନ୍ଦ୍ର ବଘାରଙ୍କୁ ପଚାରିବାରୁ ବାମଣ୍ଡା ସେବା ସମବାୟ ସମ୍ପାଦକଙ୍କ ନିଲମ୍ବନ ପରେ ସରସରା ସେବା ସମବାୟ ସମିତିକୁ ୫୦୦ବସ୍ତା ୟୁରିୟା ସାର ଯୋଗାଇ ଦେଉଛୁ। ଚାଷୀମାନେ ସେଠାରୁ ସାର ନେଇପାରିବେ ବୋଲି ସେ କହିଥିଲେ।

Share