ଛତ୍ରପୁର,୨୨ା୭(ଡି.ଏନ୍.ଏ.): ବିପୁଳିଙ୍ଗିଠାରୁ ସାହେବ ଜେନା ପଲ୍ଲୀ ପର୍ଯ୍ୟନ୍ତ ଜୟ ମଙ୍ଗଳ ନାଳ, ଭଳିଆପେଟା ମାଇନର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା, ଶଙ୍ଖ ବନ୍ଧର ପଙ୍କ ଓ ଅମରିଗଛ ପରିଷ୍କାର କରାଯିବା ଭଳି ବିଭିନ୍ନ ଦାବି ନେଇ ଚିକଲଖଣ୍ଡି ଗ୍ରାମର ବହୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପୁରୁଣା ପାଟଣା ଗ୍ରାମ ଛକ ନିକଟରେ ଛତ୍ରପୁରରୁ ବିପୁଳିଙ୍ଗି ଯିବାକୁ ଥିବା ମୁଖ୍ୟ ରାସ୍ତା ଗୁରୁବାର ସକାଳୁ ଅବରୋଧ କରିବା ସହିତ ଧାରଣାରେ ବସି ରହିଥିଲେ। ଯାହାଫଳରେ ଯାତାୟାତ ଠପ୍ ହେବା ସହ ଉଭୟପାର୍ଶ୍ୱରେ ବିଭିନ୍ନ ଗାଡ଼ିମୋଟର ଅଟକି ରହିଥିଲା। ପରେ ଘଟଣାସ୍ଥଳରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ପହଞ୍ଚି ଛତ୍ରପୁର ଥାନାଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ, ସବ ଇନ୍ସପେକ୍ଟର ସିଲୁ ଧଳଙ୍କ ଉପସ୍ଥିତରେ ଚାଷୀମାନଙ୍କ ସହ ଆଲୋଚନା କରିବା ସହ ଚାଷୀଙ୍କ ସମସ୍ୟା ଉପରେ ଛତ୍ରପୁର ତହସିଲ କାର୍ଯ୍ୟାଳୟ ପରିସରରେ ଜଳ ସେଚନ ବିଭାଗ ଅଧିକାରୀମାନଙ୍କୁ ନେଇ ବୈଠକ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଆନ୍ଦୋଳନ ହଟିଥିଲା।