ଚଣ୍ଡିଗଡ଼/ଲକ୍ଷ୍ନୌ,୨୭।୨(ପି.ଟି.): ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)ର ଚୁକ୍ତିନାମାକୁ ବିରୋଧ କରି ପଞ୍ଜାବ, ହରିୟାଣା ଓ ପଶ୍ଚିମ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଚାଷୀମାନେ ସୋମବାର ଟ୍ରାକ୍ଟର ରାଲି କରିଥିଲେ। ଡବ୍ଲ୍ୟୁଟିଓ ଚୁକ୍ତିରୁ କୃଷି ସେକ୍ଟରକୁ ବାଦ୍ ଦେବା ପାଇଁ ସେମାନେ ଦାବି କରିଛନ୍ତି। ଏହି ରାଲି ଯୋଗୁ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ରେ ଡବ୍ଲ୍ୟୁଟିଓର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥାର ୧୩ତମ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଚାଲିଥିବାବେଳେ ଆନ୍ଦୋଳନକାରୀ କୃଷକମାନେ ଏହାର ପ୍ରତୀକ ସ୍ବରୂପ କୁଶପୁତ୍ତଳିକା ଦାହ କରିଥିଲେ।
କିଷାନ ମୋର୍ଚ୍ଚା (ଏସ୍କେଏମ୍)ର ଆହ୍ବାନକ୍ରମେ ବିକ୍ଷୋଭକାରୀମାନେ ପଞ୍ଜାବ ଓ ହରିୟାଣାର ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥରେ ଟ୍ରାକ୍ଟର ରଖି ରାଲି କରିଥିଲେ। ପଞ୍ଜାବ-ହରିୟାଣା ସୀମାର ଶମ୍ଭୁ ଏବଂ ଖନୌରୀ ପଏଣ୍ଟରେ ଡବ୍ଲ୍ୟୁଟିଓର କୁଶପୁତ୍ତଳିକା ଦାହ କରାଯାଇଥିଲା। କୃଷକ ନେତାମାନଙ୍କ ଅଭିଯୋଗ ହେଲା କୃଷି ସବ୍ସିଡି ବନ୍ଦ କରିବା ଡବ୍ଲ୍ୟୁଟିଓର ଲକ୍ଷ୍ୟ। ଏହାର ଚୁକ୍ତିନାମାକୁ ଭାରତ ଅନୁପାଳନ କଲେ ଆତ୍ମଘାତୀ ହେବ ବୋଲି କୃଷକ ନେତାମାନେ କହିଛନ୍ତି। କେନ୍ଦ୍ର ସରକାର ଚାଷୀମାନଙ୍କ ନ୍ୟାଯ୍ୟ ଦାବିକୁ ଅଣଦେଖା କରୁଥିବା ବିକେୟୁର ରାଷ୍ଟ୍ରୀୟ ମୁଖପାତ୍ର ରାକେଶ ଟିକାଏତ୍ କହିଛନ୍ତି। ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ଉପରେ ଆଇନଗତ ଗ୍ୟାରେଣ୍ଟି ଏବଂ ଅନ୍ୟାନ୍ୟ ଦାବି ନେଇ ଦିଲ୍ଲୀ ଚଲୋ ଅଭିଯାନରେ ବାହାରିଥିବା ଚାଷୀମାନଙ୍କୁ ପଞ୍ଜାବ-ହରିୟାଣା ସୀମାରେ ଅଟକା ଯାଇଥିଲା। ଚାଷୀମାନଙ୍କ ପ୍ରତି ଅତ୍ୟାଚାରକୁ ଟିକାଏତ୍ ନିନ୍ଦା କରିଛନ୍ତି। ଡବ୍ଲ୍ୟୁଟିଓ ନୀତି କୃଷକ ବିରୋଧୀ କହି ଦୋଆବ କିଷାନ କମିଟି ରାଜ୍ୟ ସଭାପତି ଜଙ୍ଗବୀର ସିଂ ଚୌହାନ ଏହାକୁ ସମାଲୋଚନା କରିଛନ୍ତି।